୪ ପରେ ବଦଳିବ ପାଗ, ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଗୁଳୁଗୁଳିରୁ ମିଳିବ ତ୍ରାହି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ବିସ୍ତୃତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏଥିପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବିଶେଷକରି ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

୧୬ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୯ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି । ୧୨ ଜିଲ୍ଲାକୁ ବଜ୍ରପାତ ପାଇଁ ଆଲର୍ଟ ଜାରି ହୋଇଛି । କାଲିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବାର ସମ୍ଭାବନା ରହିଛି । ଜୁନ ଆରମ୍ଭରୁ ଏଯାଏଁ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି ।

ମୌସୁମୀ ଦୁର୍ବଳ ଥିଲା, ଏବେ ତାହା ସ୍ବଭାବିକ ସ୍ଥିତିକୁ ଆସୁଛି । ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡିଶାରେ ଅର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଛି । ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି । ୪ ତାରିଖ ପରେ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।