ପଶ୍ଚିମ ଓଡିଶାକୁ ହିଟ୍‌ ଆଲର୍ଟ, ୩ରୁ ୫ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଖରା । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧାରୁ ଅଧିକ ସହର । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଆଜି ପ୍ରବଳ ତାତି ପାଇଁ ୮ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ବିଶ୍ବର ସବୁଠୁ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ଥିଲା ବାରିପଦା । ଏଠାରେ ତାପମାତ୍ରା ଥିଲା ୪୩. ୫ ଡିଗ୍ରୀ ସେଲସିୟସ ।

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ହିଟ୍ ଆଲର୍ଟ ଜାରି ହୋଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟରେ ସ୍ବାଭାବିକ୍ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୧୬ ତାରିଖରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି ।