୨୭ରେ ପ୍ରବଳ ବର୍ଷିବ, ୫ ଜିଲ୍ଲାରେ କୁଆପଥର ମାଡ ନେଇ ସତର୍କତା

1 min read

ଭୁବନେଶ୍ବର: ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଜାରି ରହିଛି । ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଜି ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିପାଇଁ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଲାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ କାଳବୈଶାଖୀ ତାଣ୍ଡବ ନେଇ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ସେପଟେ ଆସନ୍ତାକାଲି ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼ । ଯାହାର ପ୍ରଭାବରେ ୨୭ ତାରିଖରୁ ବର୍ଷା ବଢିବ । ୨୭ ତାରିଖରେ ୨୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି ହୋଇଥିବାବେଳେ ୫ ଜିଲ୍ଲାରେ କୁଆପଥର ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

କାଳବୈଶାଖୀ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ପଡ଼ୁଥିବାରୁ ରାଜ୍ୟରେ ସ୍ବାଭାବିକଠାରୁ ୩ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ୨୮ ତାରିଖରୁ ପାଗରେ ପରିବର୍ତ୍ତନ ସହ ତାତି ବଢିବା ସମ୍ଭାବନା ରହିଛି ।