‘ଆସାନି’ର କେନ୍ଦ୍ରରେ ପବନର ବେଗ ୧୧୦ କିମି, ଗୁରୁବାର ହେବ ଅବପାତ

1 min read

ଭୁବନେଶ୍ୱର: ବାତ୍ୟା ‘ଅସାନି’ର କେନ୍ଦ୍ରରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଛି । ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ରାତିରେ ବିଶାଖପାଟଣା-କାକିନାଡା ପାଖାପାଖି ସମୁଦ୍ର ନିକଟତର ହେବ । ଏବଂ କାଲି ଠାରୁ ଦିଗ ପରିବର୍ତ୍ତନ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ସମୁଦ୍ର ଦେଇ ଏହା ଗତି କରିବ । ଏହାର ତୀବ୍ରତ ଧୀରେ ଧୀରେ ଦୁର୍ବଳ ହେବ ସହ କାଲି ସାଇକ୍ଳୋନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ ଏବଂ ୧୨ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ । ଏବଂ ଓଡ଼ିଶା ଉପକୂଳକୁ ପହଞ୍ଚିବା ବେଳେ ଏହାର ବେଗ କମି ଯାଇଥିବ । ଏହାର ପ୍ରଭାବରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସମ୍ପ୍ରତି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି ।

ତେବେ ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଏଚ୍‌.ଆର ବିଶ୍ୱାସ । ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ। ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ଏଥିସହିତ ପଢ଼ନ୍ତୁ: ‘ଅସାନି’ ପ୍ରଭାବରେ ରାଜ୍ୟର ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟକୁ ପବନର ମଧ୍ୟ ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପୁରୀ, ଧାମରା ଓ ପାରାଦୀପକୁ ୨ ନମ୍ବର ବିପଦସଙ୍କେତ ଜାରି ହୋଇଛି ।