ପ୍ରବଳ ଥଣ୍ଡାରେ କଲବଲ ଉତ୍ତରରୁ ପୂର୍ବୋତ୍ତର, ଅଧିକାଂଶ ରାଜ୍ୟରେ ତାପମାତ୍ରା ୨ ଡିଗ୍ରୀ

ଭୁବନେଶ୍ବର: ପ୍ରବଳ ଥଣ୍ଡାରେ କଲବଲ ସମଗ୍ର ଦେଶ  । ଅଧିକାଂଶ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଛୁଇଁଛି  । ଚଳିତ ସିଜିନର ସବୁଠାରୁ ଥଣ୍ଡା ଦିନ ଗତ ୧୦ ଓ ୧୧ ଡିସେମ୍ବର ରେକର୍ଡ ହୋଇଛି  । ଉତ୍ତର ଭାରତରେ ତାପମାତ୍ରା ଡିସେମ୍ବର ୧୫ ପର୍ଯ୍ୟନ୍ତ ଆହୁରି କମିବ ବୋଲି ପାଣିପାଗ ବିଭାଗ କହିଛି  । ସେହିପରି ପୂର୍ବୋତ୍ତର ରାଜ୍ୟରେ ଘନ କୁହୁଡି ହେବା ସହ ତାପମାତ୍ରା ଖସିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ  ।

ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଡିସେମ୍ବର ୧୨ରେ ଘନ କୁହୁଡି ଦେଖାଦେଇଛି  । ସେହିପରି ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଶୀତ ଲହରୀ ପ୍ରବାହିତ ହେବ  । ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି  ।

ରବିବାର ପାରଦ ଖସି ୬.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି  । ଯାହାକି ପାଖାପାଖି ୩ ଡିଗ୍ରୀ ସେଲସିୟସରୁ କମ  । ଗତ କିଛି ଦିନ ମଧ୍ୟରେ ପୂର୍ବୋତ୍ତର ମୌସୁମୀ କିଛି ଅଞ୍ଚଳରେ ଅଗ୍ରସର ହେଉଛି  । କେରଳ ଓ ଏହାର ଆଖପାଖ ଦକ୍ଷିଣାଞ୍ଚଳରେ ବାୟୁ ସକ୍ରିୟ ରହିବା ନେଇ ଆଶଙ୍କା କରାଯାଉଛି  । ଫଳରେ ଆହୁରି ଏକ ସପ୍ତାହ ଧରି ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।