ପାଠ୍ୟ ପୁସ୍ତକରେ ଅଗ୍ଲି ଶବ୍ଦକୁ ସୂଚାଇବା ପାଇଁ କୃଷ୍ଣକାୟ ବ୍ୟକ୍ତିଙ୍କ ଫଟୋ ଥିବାରୁ ବିବାଦ, ୨ ଶିକ୍ଷକ ହେଲେ ନିଲମ୍ବିତ

1 min read

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଏକ ସ୍କୁଲ ବହିରେ ଅଗ୍ଲି ଶବ୍ଦକୁ ସୂଚାଇବା ପାଇଁ ଦିଆଯାଇଥିବା ଫଟୋକୁ ନେଇ ବିବାଦ । ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସରକାର ଅନୁଦାନପ୍ରାପ୍ତ ମ୍ୟୁନିସିପାଲ ଗାର୍ଲସ ହାଇସ୍କୁଲର ପ୍ରି-ପ୍ରାଇମେରି କ୍ଲାସ୍‌ରେ ଅକ୍ଷର ଶିକ୍ଷା ପାଇଁ ବ୍ୟବହାର ହେଉଥିବା ବହିକୁ ନେଇ ବିବାଦ ତେଜିଛି । ଇଂରାଜୀରେ ୟୁରୁ ଅଗ୍ଲି ଶବ୍ଦ ଲେଖାଯାଇଛି । ତେବେ ଅଗ୍ଲି ବା ଅସୁନ୍ଦର ପାଇଁ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ଫଟୋ ଦିଆଯାଇଛି ।

କଳାରଙ୍ଗକୁ ସିଧାସଳଖ ଅସୁନ୍ଦରତା ସହ ଯୋଡ଼ାଯାଇଛି । ଅଭିଭାବକମାନେ ଏଭଳି ବର୍ଣ୍ଣ ବୈଷମ୍ୟକୁ ବିରୋଧ କରିଛନ୍ତି । ଏଭଳି ଶିକ୍ଷା ଦ୍ଵାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି । ସେପଟେ ଏହି ଘଟଣାର ସ୍କୁଲର ୨ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ କହିଛନ୍ତି । ସରକାରଙ୍କ ଦ୍ଵାରା ବହିଟି ଅନୁମୋଦିତ ନୁହେଁ ।

ସ୍କୁଲର ଶିକ୍ଷକ ଏହାକୁ ରେଫରେନ୍‌ସ ବହି ଭାବେ ଚୟନ କରିଥିବା ସେ କହିଛନ୍ତି । ସେପଟେ ଅଜାଣତରେ ବହିକୁ ଚୟନ କରାଯାଇଥିଲା ଓ ସେଥିପାଇଁ ସ୍କୁଲର ଶିକ୍ଷକ କ୍ଷମା ମାଗିଛନ୍ତି । ଆମେରିକାରେ ପୋଲିସ ହେପାଜତରେ ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏବେ ପଶ୍ଚିମବଙ୍ଗର ଏହି ଘଟଣାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି ।

Leave a Reply