କଟକରେ ଲିଙ୍ଗ ନିରୂପଣ ଅଭିଯୋଗ, ଫ୍ରେଣ୍ଡ୍ସ କଲୋନୀରେ ଚାଲିଥିଲା ବେଆଇନ କାର୍ଯ୍ୟକଳାପ

କଟକ: କଟକରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ । ଏସସିବି ନିକଟ ଫ୍ରେଣ୍ଡ୍ସ କଲୋନୀରେ ଅପରାଧିକ କାର୍ଯ୍ୟକଳାପ । ଡାକ୍ତର କରୁଥିଲେ ଲିଙ୍ଗ ନିରୂପଣ । କଟକ ସିଡିଏମଓଙ୍କ ସହୟତାରେ ରେଡ୍‌ କରି ଘଟଣାର ପର୍ଦ୍ଦାଫାସ କରିଛି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଘରୋଇ କ୍ଲିନିକରେ ଅତର୍କିତ ଚଢ଼ାଉ ପରେ ମିଳିଛି ଭ୍ରୁଣ ଚିହ୍ନଟର ପ୍ରମାଣ । ଏକାଧିକ ମହିଳା ଅଲଟ୍ରାସାଉଣ୍ଡ ପାଇଁ ସେଠାରେ ଅପେକ୍ଷା କରିଥିଲେ । ବେଆଇନ କାର୍ଯ୍ୟକଳାପର ପ୍ରମାଣ ପାଇବା ପରେ ସଂପୃକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

କ୍ଲିନିକ ଚଳାଉଥିବା ଡାକ୍ତର ହେଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଡାକ୍ତରଖାନାରେ କାର୍ଯ୍ୟରତ ପୂଣ୍ୟଶ୍ଲୋକ ଦାସ । ଦୀର୍ଘଦିନ ଧରି ସେ କଟକ ଘରେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହୋଇଥିଲା । ମୋଟା ଅଙ୍କର ଟଙ୍କା ନେଇ ଗର୍ଭସ୍ତ ଶିଶୁର ଲିଙ୍ଗ ନିରୂପଣ କରୁଥିଲେ ଡାକ୍ତର । ମଙ୍ଗଳାବାଗ ପୋଲିସ ସହାୟତାରେ ସିଡିଏମଓଙ୍କ କାର୍ଯ୍ୟାଳୟରେ ପୂର୍ଣ୍ଣ୍ୟଶ୍ଲୋକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରହିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର । ବେଆଇନ କାରବାର ପଛରେ କେତେଜଣ ଅଛନ୍ତି ସଂପୃକ୍ତ ? ଏଠାରେ କେବେଠୁ ଚାଲିଛି ଲିଙ୍ଗନିରୂପଣ ? ଏବେ ଏସବୁର କାରଣ ଖୋଜୁଛି ତଦନ୍ତକାରୀ ଟିମ୍ ।