ବାଲି ମାଫିଆଙ୍କ ରାଜୁତି: ବେଆଇନ୍ ଭାବେ ହେଉଛି ଟ୍ରିପ୍ ଟ୍ରିପ୍ ବାଲି ଚାଲାଣ
1 min readଯାଜପୁର,(ତପନ ମହାନ୍ତି): ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଯାଜପୁର ଜିଲ୍ଲାରୁ ଅନ୍ୟସ୍ଥାନକୁ ଚୋରା ଚାଲଣ କରାଯାଉଛି । ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉନି କି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଉ ନାହିଁ । ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି ଯାଜପୁର ଜିଲ୍ଲା । ୪ଟି ନଦୀରୁ ବିପୁଳ ପରିମାଣ ବାଲି ବେଆଇନ ଭାବେ ଚାଲାଣ କରାଯାଉଛି ।
୧୧ଟି ତହସିଲ ଅଧୀନରେ ଥିବା ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ବୁଢ଼ାନଦୀର ଅଡଙ୍ଗ ଘାଟରୁ ହଜାର ହଜାର ଟ୍ରିପ ବାଲି ଅକାମୀ ଆର ଫର୍ମରେ ଉଠାଯିବାକୁ ନେଇ ଦ୍ୱନ୍ଦ୍ବରେ ପଡିଛି ପ୍ରଶାସନ । ଶହଶହ ଟ୍ରିପ ବାଲି ଆର୍ ଫର୍ମ ଦ୍ୱାରା କାହା ଛତ୍ରଛାୟା ତଳେ ଉଠୁଛି ତାହା ଏବେ ପ୍ରଶ୍ନ ହୋଇଛି ।
ବାର୍ଷିକ ୨ ହଜାର ସିଏମ୍ ବାଲି ଉଠାଇବା ପାଇଁ ଅନୁମତି ଥିବା ବେଳେ ଏଠାରୁ ୫ ହଜାର ସିଏମ୍ ବାଲି ଉଠାଯାଉଛି । ବାଲି ଉତ୍ତୋଳନ ପାଇଁ ଆର ଫର୍ମ, ଯାହାକୁ ସରକାର ଦେଢ଼ ବର୍ଷ ତଳେ ବନ୍ଦ କରିଥିଲେ ତାକୁ ବ୍ୟବହାର କରିଛନ୍ତି ମାଫିଆ। ନଦୀରେ ମେସିନ୍ ଲଗାଇ ବାଲି ଉଠାଇ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ପୂର୍ବରୁ ବେଆଇନ ଭାବେ ମୋରମ୍ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ବାଲି ମାଫିଆଙ୍କ ରାଜ୍ ସାମ୍ନାକୁ ଆସିଛି ।