ବାଲିଘାଟ ନିଲାମ ହେଉ ନଥିବାରୁ ମାଲାମାଲ ମାଫିଆ , ବଢୁଛି ଚୋରା ବାଲି ଚାଲାଣ
ସୁନ୍ଦରଗଡ଼: ନିଲାମ ହେଉନି ବାଲିଘାଟ । ଚୋରା ଚାଲାଣ କରି ମାଲାମାଲ ମାଫିଆ । ନାମକୁମାତ୍ର ଚଢାଉ କରି ପ୍ରଶାସନ ଚୁପ ଥିବା ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ନଦୀରୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ବାଲି ଚାଲାଣ । ବିଶେଷ କରି ରାତି ସମୟରେ ଶହଶହ ଟ୍ରିପ ଉଠାଯାଉଥିବା ଅଭିଯୋଗ ହୋଇଛି । ବାଲିଘାଟ ଗୁଡ଼ିକ ନିଲାମ ହୋଇ ନଥିବାରୁ ବାଲି ଚୋରାଇ ମାଲାମାଲ ହେଉଛନ୍ତି ମାଫିଆ । ଫଳରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ । ଗୋଟିଏ ଟ୍ରାକ୍ଟର ବାଲି ୨୫ଶହ ଟଙ୍କା, ଗୋଟିଏ ଡମ୍ଫର ବାଲି ୮ ହଜାର ଟଙ୍କା ଓ ଗୋଟିଏ ହାଇୱା ବାଲି ୧୪ ହଜାର ଟଙ୍କାରେ ବିକ୍ରି ହେଉଛି । ଦୈନିକ ଶହ ଶହ ଟ୍ରିପ ବାଲି ଖୋଲାଖୋଲି ଭାବେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଖଣି ଵିଭାଗ, ରାଜସ୍ଵ ଵିଭାଗ ଓ ଜଙ୍ଗଲ ଚୁପ ଥିବା ଅଭିଯୋଗ ହୋଇଛି ।
ବାରମ୍ବାର ଦାଵି ହେଉଥିଲେ ମଧ୍ୟ ବିଭାଗ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୩ ନଭେମ୍ବର ମାସରୁ ୨୦୨୪ ନଭେମ୍ବର ମାସ ମଧ୍ୟରେ ଇସ୍ପାତ ଓ ଖଣି ଵିଭାଗ ରାଉରକେଲା ଅଫିସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୪୬ ଟି ଗାଡି ଜଵତ କରାଯାଇ ୯୬ ଲକ୍ଷ ୯୨ ହଜାର ୨୯୬ ଟଙ୍କା ଜଵତ କରାଯାଇଛି । ପାନପୋଷ ଵନ ଵିଭାଗ ପକ୍ଷରୁ ଗତ ଏକମାସ ମଧ୍ୟରେ ୨୦ ଟି ଗାଡି ଜଵତ କରାଯାଇଛି । ତେବେ ଆଖିଦୃଷ୍ଟିଆ କାର୍ଯ୍ଯାନୁଷ୍ଠାନ ନହେବାରୁ ମାତିଛନ୍ତି ମାଫିଆ ।