ବିଜେପି ସରକାର ଆସିବା ପରେ ମାତିଛନ୍ତି ଖଣି ଲୁଟେରା, ଖୋଳ କରି ଦେବେ ମାଟି ତଳ

ଆସିକା: ରାଜ୍ୟରେ ସରକାର ବଦଳିବା ପରେ ଖଣି ଲୁଟ୍ ବ୍ୟାପକ ହେବାରେ ଲାଗିଛି । ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ଖଣି ମାଫିଆ । ରୋକ ଲଗାଇବାକୁ କେହି ନାହାନ୍ତି । ଆସିକା ଓ ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ବେଧଡ଼କ ଚାଲିଛି ପଥର ଲୁଟ୍ । ଏମିତି ଆଉ କିଛିଦିନ ଲାଗି ରହିଲେ, ଏହି ଦୁଇ ଅଞ୍ଚଳରେ ମାଟି ତଳ ଫାଙ୍କା ହୋଇଯିବ ବୋଲି ଅଭିଯୋଗ ହେଉଛି । ପରିବେଷ ପ୍ରଦୂଷଣକୁ ଆଖିଠାର ମାରି, ସମସ୍ତ ପ୍ରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି । ବିସ୍ଫୋରକ ବ୍ୟବହାର କରି ପାହାଡ଼ ଫୁଟା ଯାଉଛି । ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି । ହେଲେ ସବୁ ଦେଖି, ସବୁ ଜାଣି ଚୁପ ବସିଛି ମାଇନିଂ ବିଭାଗ ।
ଖଣି ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ ଭାବେ କୋଟି କୋଟି ଟଙ୍କାର ଲଘୁ ଖଣିଜ ପଦାର୍ଥ ଲୁଟ ହେଉଛି । ପଥର ଓ ମୋରମ ଚୋରି କରି ମାଫିଆ ମାଲାମାଲ ହେଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ହେଲେ ସବୁ ଦେଖି ମାଇନିଂ ବିଭାଗ ହାତ ବାନ୍ଧି ବସିଥିବା ଅଭିଯୋଗ ହେଉଛି ।
ବିଶେଷ କରି ଆସିକା ବ୍ଲକ ପାଣ୍ଡିଆ ପଥର ପଞ୍ଚାୟତର ସୁନାପଲ୍ଲୀ ନିକଟରେ ଥିବା ପାହାଡ଼ରୁ ଦୀର୍ଘ ଦିନ ଧରି ପଥର ଲୁଟ ହେଉଛି । ସ୍ଥାନୀୟ ଲୋକଙ୍କୁ ଭୟ ଦେଖାଇ ମାଫିଆ ରାଜ କରୁଛନ୍ତି । କୁଆଁରୀ ଲିଜର ସବୁ ନିୟମକୁ ଉଲ୍ଲଂଘନ କରି ପଥର ବ୍ଲାଷ୍ଟିଂ କରି ରାଜ୍ୟ ବାହାରକୁ ଖଣିଜ ସମ୍ପଦ ପଠାଉଛନ୍ତି । ଏପରିକି ଏଠାରେ କାମ କରୁଥିବା ଶ୍ରମିକ ଅନେକ ସମୟରେ ପ୍ରାଣ ହରାଉଥିବା ବି ଅଭିଯୋଗ ହେଉଛି । ଏସବୁ ପରେ ବି ସ୍ଥାନୀୟ ପ୍ରଶାସନ ଓ ମାଇନିଂ ବିଭାଗର ନୀରବତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
କେବଳ ସୁନାପଲ୍ଲୀ ନୁହେଁ ଆସିକା ଓ ଧରାକୋଟ ଅଞ୍ଚଳରେ ବହୁ ସ୍ଥାନରେ ଏପରିକି ଥାନା ଓ ତହସିଲ ନିକଟରେ ମଧ୍ୟ ଦିନ ଦ୍ଵିପ୍ରହରେ କୁଆଁରୀ ଲିଜ ନିୟମକୁ ଉଲ୍ଲଂଘନ କରି ପଥର ବାଷ୍ଟିଂ କରାଯାଉଛି । ହେଲେ ନିଦାବିଷ୍ଣୁ ସାଜିଛି ମାଇନିଂ ବିଭାଗ । ପଥର ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।