କୋଡ଼ ୱାର୍ଡରେ କାରବାର ; ‘ଭୋଗ’ ମାଗୁଥିଲେ ମିଳୁଥିଲା ନିଶା ପୁଡ଼ିଆ
1 min read
ଭୁବନେଶ୍ବର : କୋଡ଼ ୱାର୍ଡରେ କାରବାର, ‘ଭୋଗ’ ମାଗୁଥିଲେ ମିଳୁଥିଲା ନିଶା ପୁଡ଼ିଆ । ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ। STF ସହାୟତାରେ ନିଶାଡୀ ଆଡ୍ଡାରେ ମାରାଥନ ରେଡ଼। ପାନ ଦୋକାନରେ ବିକ୍ରି ହେଉଥିଲା ପୁଳା ପୁଳା ଗଞ୍ଜେଇ। ଏ ଘଟଣା ହେଉଛି ରାଜଧାନୀ ଭୁବନେଶ୍ବରର । ନିଶା କାରବାର ନେଇ ଖବର ପାଇବା ପରେ ଆଜି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଓ କ୍ରାଇମବ୍ରାଞ୍ଚର STF କରିଥିଲା ଚଢ଼ାଉ । ପ୍ରଥମେ ୟୁନିଟ ୪ ମାର୍କେଟରେ ଚଢ଼ାଉ ବେଳେ ଏକ ପରିତ୍ୟକ୍ତ ଦୋକାନ ଘରୁ ମିଳିଥିଲା ଗଂଜେଇ ପାଇଁ ବ୍ୟବହୃତ Rap । ନିରୋଳା ମାହୋଲରେ ଜମୁଥିଲା ନିଶାଡିଙ୍କ ଆସର । ହାଟ ପରେ ପରେ ଟିମ ବାହାରିଥିଲା ସାଇନ୍ସପାର୍କ ନିକଟରେ ଥିବା ଆଉ ଏକ ଅଡ୍ଡା ସ୍ଥଳୀକୁ । ବାହାରକୁ ଦିଶୁନଥିବା ଏହି ଛୋଟିଆ ଦୋକାନ ପାଲଟିଥିଲା ନିଶାଡିଙ୍କ ପାଇଁ ଭୂସ୍ବର୍ଗ । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଉଛନ୍ତି ଖଟି କରୁଥିବା ଯୁବକ । ଆଉ ଚଢ଼ାଉ ବେଳେ ମିଳୁଛି ପୁଳା ପୁଳା ଗଞ୍ଜେଇ ସିଗାରେଟ ।
ଦୁଇଟି ସ୍ଥାନରେ ଚଢ଼ାଉ ପରେ ସ୍ପେଶାଲ କ୍ରାଇମ ୟୁନିଟ ସିଧା ପହଞ୍ଚିଥିଲା ଷ୍ଟେସନ ନିକଟରେ । ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଖୁଲମଖୁଲା ଗଂଜେଇ ପୁଡ଼ିଆ ବିକ୍ରି ହେଉଥିଲା । ପୁଡ଼ିଆ ଗୋଟାକୁ ଶହେ ଟଙ୍କା । କୋଡ଼ ୱାର୍ଡରେ କାରବାର ଚାଲୁଥିବା ବେଳେ “ଭୋଗ” କହିଲେ ହାତକୁ ବଢ଼େଇ ଦେଉଥିଲେ ଦୋକାନୀ । ଆଉ ରାତି ଅଧରେ ନିଶା ଖାଇ ଆଇନକୁ ହାତକୁ ନେଉଥିଲେ ନିଶାଡୀ । ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ଜୟଦେବ ବିହାର, ଇନ୍ଫୋସିଟି ଏରିଆରେ ଚଢ଼ାଉ ହୋଇଥିଲା । ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରେ ରୋକ ଲଗାଇବା ପାଇଁ ପ୍ରୟାସ ହୋଇଥିଲା । ତଥାପି ମଧ୍ୟ ବଢୁଥିବା ଅପରାଧ କୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ସ୍ଥାନରେ ଛାପା ମାରି ଅପରାଧୀଙ୍କୁ କଡା ଚେତାବନୀ ଦେଇଛି କମିଶନରେଟ ପୋଲିସ । ଚୋର ମୁହଁ ଟାଣ ଭଳି କିଛି ଜାଣିନଥିବା କହୁଛନ୍ତି ଦୋକାନୀ । କିନ୍ତୁ ସହରର ଛାତି ଉପରେ ୨୪ ଘଣ୍ଟା ଚାଲୁଛି ନିଶା ବେପାର । ସେପଟେ ଏହି ରେଡ଼କୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ ।