ହେଉଛି ବ୍ଲାଷ୍ଟ, ଫାଟୁଛି କଳା ମୁଗୁନି ପଥର ପାହାଡ଼; ଘରୁ ବାହାରିବାକୁ ଲାଗୁଛି ଭୟ

1 min read

ଟାଙ୍ଗୀ: ସରକାରୀ ନୀତି ନିୟମକୁ ଖୋଲା ଉଲ୍ଲଂଘନ । ଜନ ବସତି ନିକଟରେ ଚାଲିଛି ବେଆଇନ ବ୍ଲାଷ୍ଟିଂ । କଳା ମୁଗୁନି ପଥରର ଦର ବଜାରରେ ଚଢ଼ା ଥିବାରୁ ନିଲାମ ଧାରୀ ବେଆଇନ ଭାବେ ପଥଳ ଉତ୍ତୋଳନ କରି ହେଉଛନ୍ତି ମାଲେ ମାଲ । ଏପଟେ ବ୍ଲାଷ୍ଟିଂ ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ । ଘରୁ ବାହାରିବାକୁ ଲାଗୁଛି ଡର । ଏମିତି ସ୍ଥିତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ।

ବୃଷ ବନ୍ଧ ପାହାଡ଼ରେ ହେଉଛି ଭୟଙ୍କର ବିସ୍ଫୋରଣ । ଘରୁ ବାହାରିବା ପାଇଁ ଭୟ ଲାଗୁଛି । କଳା ମୁଗୁନି ପଥର ଖଣ୍ଡ ସବୁ ଏଣେ ତେଣେ ପଡୁଛି । ଗଛ, ଘର, ଜଳାଶୟରେ ପଥର ଗୁଣ୍ଡ ଆସ୍ତରଣ । ହେଲେ ପ୍ରଶାସନର ନିଘା ନାହିଁ । ପାହାଡ ଲିଜରେ ଦେଇ ଦେବା ପରେ ପ୍ରଶାସନ ନିଘୋଡ ନିଦରେ ।

ଟାଙ୍ଗୀ ତହସିଲ ଅଧୀନ ବୃଷ ବନ୍ଧ ମୌଜାରେ ରହିଛି ବୃଷ ବନ୍ଧ ପାହାଡ଼ । ପାହାଡ଼ର ୧୬ ଏକର ୯୧୦  ଡିସିମିଲି ଅଞ୍ଚଳରେ ପରିବ୍ୟାପ୍ତ । ସେଥିମଧ୍ୟରୁ ୬୮୯ ପ୍ଲଟ ନମ୍ବରର ୧୨ ଏକର ପାହାଡ଼କୁ ୩ ମାସିଆ ଲିଜସୁତ୍ରରେ କଳା ମୁଗୁନି ପଥର ଖନନ କରିବା ପାଇଁ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା MS CP ARORA ଇଞ୍ଜିନୀ ଅରସ ପ୍ରାଇଭେଟ୍ ଲିମିଟେଡ୍କୁ ଅନୁମତି ମିଳିଥିଲା । ହେଲେ CP ARORA ଠିକା ସଂସ୍ଥା ନିଜେ ଖଣିରେ ମୁଗୁନି ପଥର ଉତ୍ତୋଳନ ନକରି ସ୍ଥାନୀୟ କ୍ରସର ମାଲିକମାନଙ୍କୁ ସବ ଲିଜ ଦେଇଥିବା ଅଭିଯୋଗ ହୋଇଛି । ସବ୍ ଲିଜଧାରୀ ବେଧଡ଼କ ଡିନାମାଇଟ ବିସ୍ଫୋରଣ କରୁଥିବାରୁ ସ୍ଥାନୀୟ ଲୋକେ ଅସୁରକ୍ଷିତ ଅନୁଭବ କରୁଛନ୍ତି ।

ବୃଷ ବନ୍ଧ ପାହାଡ଼କୁ ଘେରି ରହିଛି ୧୫ରୁ ଅଧିକ ଗାଁ । ବ୍ଲାଷ୍ଟିଂ ଦ୍ବାରା କୂଅ, ପୋଖରୀ ଜଳ ପ୍ରଦୂଷିତ ହେଉଛି । ବଡ଼ ବଡ଼ ହାଇୱା ରାସ୍ତାରେ ଯାଆ ଆସ କରୁଥିବାରୁ ରାସ୍ତା ନଷ୍ଟ ହେଉଛି । ଅସୁରକ୍ଷିତ ରାସ୍ତାରେ ଯାତାୟାତ କରି ଅନେକ ସମୟରେ ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପ୍ରଶାସନ ନିକଟରେ ଏନେଇ ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି । ବ୍ଲାଷ୍ଟିଂକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଲୋକେ ଟାଙ୍ଗୀ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ଯାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଖଣି ଅଧିକାରୀ ଜଗନ ବେହେରା ।

ଯଦି ସମସ୍ଯାର ସମାଧାନ ନହୁଏ ତେବେ ଗ୍ରାମବାସୀ ନିଜେ ଖଣି ବନ୍ଦ କରିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।