Uttarakhand Flash Flood:୧୯୬୫ରେ ହଜିଯାଇଥିଲା ରେଡିଓ ଆକ୍ଟିଭ୍ ଡିଭାଇସ,ବିକିରଣ ପାଇଁ ପ୍ରଳୟ ଆଶଙ୍କା

1 min read

ଚମୋଲି: CIAର ରେଡିଓ ଆକ୍ଟିଭ୍ ଡିଭାଇସ୍ ପାଇଁ ପାହାଡରେ ଆସିଲା ପ୍ରଳୟ ? ଉତ୍ତରାଖଣ୍ଡରେ ଆସିଥିବା ଜଳ ପ୍ରଳୟ ପରେ ଏବେ ଏହି ପ୍ରଶ୍ନ ଉଠିବାରେ ଲାଗିଛି । ଉତ୍ତରାଖଣ୍ଡରେ ଚମୋଲି ଜିଲ୍ଲାର ତପୋବନ ଅଞ୍ଚଳର ପଡୁଥିବା ରୈନି ଗାଁ ଏବେ ବି ଆତଙ୍କ ଭିତରେ। ଗାଁ ଲୋକଙ୍କ ଆଶଙ୍କାର କାରଣ ଆମେରିକା ସହ ଜଡିତ। ୧୯୬୫ ମସିହାରେ ଶିତଳଯୁଦ୍ଧ ଚରମରେ ଥିବା ବେଳେ ଆମେରିକା ଚୀନ୍ ଉପରେ ନଜର ରଖିବାକୁ ଭାରତର ସାହାଯ୍ୟ ନେଇଥିଲା । ଆମେରିକା ଗୁଇନ୍ଦା ଏଜେନ୍ସୀ ସିଆଇଏ,ଭାରତୀୟ ଗୁଇନ୍ଦା ଏଜେନ୍ସୀ ଆଇବି-ଇଣ୍ଟେଲିଜେନ୍ସ ଏଜେନ୍ସି ସହିତ ମିଶି ଏକ ଗୁପ୍ତ ମିଶନ ଆରମ୍ଭ କରିଥିଲା। ଏହି ମିଶନର କେନ୍ଦ୍ରରେ ଥିଲା ନନ୍ଦାଦେବୀ ପାହାଡ଼। ନନ୍ଦାଦେବୀ ହିମାଳୟର ଅନ୍ୟତମ ଉଚ୍ଚତମ ଶୃଙ୍ଘ ଭାବେ ପରିଚିତ।
୧୯୬୫ ମସିହାରେ ସିଆଇଏ ଓ ଆଇବି ଏକାଠି ନନ୍ଦାଦେବୀରେ ଚୀନ୍ ଉପରେ ନଜର ରଖିବାକୁ ଏକ ସର୍ଭିଲାନ୍ସ ଇକ୍ୟୁପମେଣ୍ଟ୍ ଲଗାଇବା ଯୋଜନା କରିଥିଲେ। ଏଥିପାଇଁ ଉଭୟ ଏଜେନ୍ସୀର ଗୁଇନ୍ଦା ଓ ବୈଶୟିକ ବିଶେଷଜ୍ଞ ନନ୍ଦାଦେବୀକୁ ଯାଇଥିଲେ। ଏହି ସର୍ଭିଲାନ୍ସ ଇକ୍ୟୁପମେଣ୍ଟକୁ ଶକ୍ତି ଯୋଗାଇବା ପାଇଁ ଏଥିରେ ଏକ ପରମାଣୁ ଡିଭାଇସ ଲଗାଯିବାର ଥିଲା। କିନ୍ତୁ ଅଭିଯାନ ଆରମ୍ଭ କାଳରେ ହିଁ ଟିମ୍ ବରଫ ଝଡରେ ଫସିଯାଇଥିଲା।

୧୦୦ ବର୍ଷ ପର୍ଯ୍ୟନ୍ତ ସକ୍ରୀୟ ରୁହେ ରେଡିଓ ଆକ୍ଟିଭ୍ ଡିଭାଇସ୍
୧୯୬୫ରେ ଟିମ୍ ନନ୍ଦାଦେବୀ ଆରୋହଣ ଆରମ୍ଭ କରିଥିଲା । କିନ୍ତୁ ଅଭିଯାନ ସମୟରେ ଆସିଥିଲା ବରଫ ଝଡ । ବରଫ ଝଡ଼ରେ ଫସି ଆଗକୁ ବଢିବା ଅସମ୍ଭବ ଥିଲା । ତେଣୁ ଟିମ୍ ସମସ୍ତ ଯନ୍ତ୍ରପାତିକୁ ପାହାଡର ଘାଟିରେ ଛାଡି ତଳକୁ ଓହ୍ଲାଇ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ପୁଣିଥରେ ଅଭିଯାନ ଆରମ୍ଭ ହୋଇଥିଲା । ଟିମ୍ ଡିଭାଇସକୁ ଖୋଜିବା ଆରମ୍ଭ କରିଥିଲା କିନ୍ତୁ ସେମାନଙ୍କୁ ସେହି ଡିଭାଇସ୍ ମିଳିନଥିଲା । ବୈଜ୍ଞାନିକଙ୍କ ଅନୁସାରେ ରେଡିଓ ଆକ୍ଟିଭ୍ ଡିଭାଇସ ୧୦୦ ବର୍ଷ ପର୍ଯ୍ୟନ୍ତ ସକ୍ରୀୟ ରହିଥାଏ । ଏବେ ଆଶଙ୍କା କରାଯାଉଛି ଯେ, ଏହି ରେଡିଓ ଆକ୍ଟିଭ୍ ଡିଭାଇସର ବିଘଟନ କାରଣରୁ ତାପମାତ୍ରା ବୃଦ୍ଧି ପାଇଥିବ । ଯାହାଫଳରେ ବରଫ ତରଳି ହିମସ୍ଖଳନ ହୋଇଥିଲା ।
ବନ୍ୟା ସମୟରେ ଆସୁଥିଲା ତୀବ୍ର ଗନ୍ଧ
୧୯୬୫ ମସିହାରେ ଯେଉଁ ଟିମ୍ ନନ୍ଦାଦେବୀକୁ ଯାଇଥିଲା ସେହି ଟିମ୍ ସହିତ କିଛି ସ୍ଥାନୀୟ ବାସିନ୍ଦା କୁଲି ହିସାବରେ ଯାଇଥିଲେ । ଏବେ ସ୍ଥାନୀୟ ବାସିନ୍ଦା ଆଶଙ୍କା କରୁଛନ୍ତି ଯେ, ହଜିଯାଇଥିବା ରେଡିଓ ଆକ୍ଟିଭ୍ ଡିଭାଇସ କାରଣରୁ ହିମସ୍ଖଳନ ହୋଇଛି । ପ୍ରଳୟ ଆସିଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ହେଉଛି,ରବିବାର ଦିନ ଅଚାନକ ବନ୍ୟା ଆସିବା ବେଳେ ତୀବ୍ର ଗନ୍ଧ ଆସିଥିଲା । ଲୋକ ନିଶ୍ୱାସ ନେଇ ପାରିନଥିଲେ । କେବଳ ଯଦି ଖାଲି ବରଫ ତରଳିଥାନ୍ତା ତେବେ ଏମିତି ଗନ୍ଧ ଆସିନଥାନ୍ତା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଦାବି ।
ସ୍ଥାନୀୟ ବାସିନ୍ଦା ଏହି ଜଳ ପ୍ରଳୟ ପାଇଁ ସେହି ଡିଭାଇସକୁ ଦାୟୀ କରି କହୁଛନ୍ତି ଯେ, ଦିନେ ଆମେ ସମସ୍ତେ ମରିବୁ। ରେଡିଓ ଡିଭାଇସ ପାଇଁ ହିମସ୍ଖଳନ ଆସିଲା କି ନାହିଁ ତାହା ଅଲଗା କଥା କିନ୍ତୁ ଏହା ମଧ୍ୟ ସାଂଘାତିକ ତଥ୍ୟ ଯେ, ଗୋଟିଏ ସକ୍ରୀୟ ରେଡିଓ ଆକ୍ଟିଭ୍ ଡିଭାଇସ୍ ଏବେ ମଧ୍ୟ ହିମାଳୟ କୋଳରେ କେଉଁଠି ଲୁଚି ରହିଛି।

Leave a Reply