ଏବେ ବାଦଲକୁ ଫଟାଇ କରିହେବ ବର୍ଷା, ପରୀକ୍ଷଣ ସଫଳ ହୋଇଥିବା ଦାବି କଲା IIT କାନପୁର

କାନପୁର: ଏବେ ଯେବେ ଚାହିଁବ ବର୍ଷିବ। ଏପରି ଏକ ଫର୍ମୁଲା ଉପରେ ଗବେଷଣା କରି ସଫଳତା ପାଇଛି ଆଇଆଇଟି କାନପୁର । ଏହାର ବୈଜ୍ଞାନିକମାନେ କୃତ୍ରିମ ବର୍ଷା ପାଇଁ ବାଦଲକୁ ଫଟାଇ ବର୍ଷା କରିବା ଉପରେ ଗବେଷଣା କରି ସଫଳତା ପାଇଛନ୍ତି ବୋଲି ଦାବି କରିଛନ୍ତି  ।

ଏହାର ବ୍ୟବହାରିକ ପରୀକ୍ଷଣରେ ଟିମ ସଫଳତା ପାଇଛି ବୋଲି ଦାବି କରିଛି  । ମେସିନ ଦ୍ବାରା ବର୍ଷା କରାଇବାକୁ ସଫଳ ହେବା ପରେ ଏବେ ଆକାଶରେ ସୃଷ୍ଟ ବାଦଲକୁ ବର୍ଷାରେ ପରିଣତ କରିବାକୁ ଗବେଷଣା ଆରମ୍ଭ ହୋଇଛି  । ୨୩ ଜୁନରେ କ୍ଲାଉଡ ସିଡିଙ୍ଗ କରି ଏହି ସଫଳତା ପାଇଛନ୍ତି କମ୍ପ୍ୟୁଟର ବିଜ୍ଞାନ ଓ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ ଟିମ  । ସେସନା ଏୟାରକ୍ରାଫ୍ଟ ଦ୍ବାରା ଆକାଶର ଏକରୁ ଦୁଇ କିଲୋମିଟର ଉପରେ ବାଦଲ ଉପରେ କେମିକାଲ ପକାଇ ବିସ୍ଫୋରଣ କରିବା ପରେ ବର୍ଷା ହୋଇଥିଲା  । କେମିକାଲ ଫାୟର କରିବା ଦ୍ବାରା ତୁରନ୍ତ ବର୍ଷା ହୋଇଥିଲା  । ଏହି ପରୀକ୍ଷଣ ଆଇଆଇଟି ଉପର ଆକାଶରେ କରାଯାଇଥିଲା  । ଏଥିପାଇଁ ଡିଜିସିଏ ଅନୁମତି ଦେଇଥିଲା  । ଆଇଆଇଟି କାନପୁର ୨୦୧୭ରୁ ଏହି ପ୍ରକଳ୍ପ ଉପରେ କାମ କରିଆସୁଛି  । ଉତ୍ତରପ୍ରଦେଶ ସରକାର ଏଥିପାଇଁ ୨୦୧୮ରେ ଅନୁମତି ପ୍ରଦାନ କରିଥିଲେ  । ଏହା ବିଶେଷକରି ପ୍ରଦୂଷଣ ଓ ମରୁଡିରୁ ରକ୍ଷା କରିପାରିବ  । ଏହାପୂର୍ବରୁ ଚୀନ ଏହି ଟେକନିକରେ ସଫଳତା ପାଇଛି  ।