ନେପାଳ ପରେ ପରବର୍ତ୍ତୀ ଭୂକମ୍ପ କ’ଣ ଉତ୍ତରାଖଣ୍ଡରେ ?

ଭୁବନେଶ୍ବର: ନେପାଳ ପରେ ପରବର୍ତ୍ତୀ ଭୂକମ୍ପ କେଉଁଠି ? ଆମ ଭାରତରେ ହେବ ନି ତ ? କାରଣ ନେପାଳରେ ବାରମ୍ବାର ଭୂକମ୍ପ ଆସୁଥିବା ବେଳେ ଦିଲ୍ଲୀ ପର୍ଯ୍ୟନ୍ତ ଥରି ଯାଉଛି । ଏମିତି ସ୍ଥିତିରେ ପରବର୍ତ୍ତୀ ସମୟରେ ଏକ ବଡ଼ ଧରଣର ଭୂକମ୍ପ ଭାରତରେ ହେବାର ଆଶଙ୍କା ବଢ଼ି ଯାଇଛି । ଏପରି ଆଶଙ୍କାକୁ ଆହୁରି ଦୃଢ଼ କରିଛି କାନପୁର ଆଇଆଇଟିର ଏକ ଷ୍ଟଡି ରିପୋର୍ଟ । ଏଥିରେ ପରବର୍ତ୍ତୀ ଭୂକମ୍ପ ନେଇ ଆଶଙ୍କା ଓ ସମ୍ଭାବ୍ୟ ସ୍ଥାନକୁ ଦର୍ଶାଯାଇଛି । ଆଉ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେବଭୂମି ଉତ୍ତରାଖଣ୍ଡ ହେବ ବୋଲି ଅନୁମାନ କରାଇଛି ।

କାନପୁର ଆଇଆଇଟି ପ୍ରଫେସର ଜାଭେଦ ମଲିକ କହିଛନ୍ତି, ଗୋଟିଏ ସ୍ଥାନରେ ବାରମ୍ବାର ଭୂକମ୍ପ ଆସିବା ଏକ ଚିନ୍ତାର ବିଷୟ । କମ ମ୍ୟାଗ୍ନିଚ୍ୟୁଡର ଏକାଧିକ ଭୂମିକମ୍ପ ଆସିବା ଏକ ବଡ଼ ଭୂକମ୍ପ ଆଶଙ୍କାକୁ ବଢ଼ାଇ ଦେଉଛି । ନେପାଳ ଭଳି ଉତ୍ତରାଖଣ୍ଡ ଜୋନ ବି ସକ୍ରିୟ ଅଛି । ଏଠାରେ ଏକ ବଡ଼ ଧରଣର ଭୂକମ୍ପ ଆସିପାରେ ।

ସେ ଆଗକୁ କହିଛନ୍ତି, ଭୂକମ୍ପ ଟ୍ରେଣ୍ଡ ଦେଖିଲେ ଏହା ପଶ୍ଚିମ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଯାହାର ପ୍ରଭାବ ଉତ୍ତରାଖଣ୍ଡ ଉପରେ ଆସିବ । ଆଗାମୀ ଦିନରେ ଏକ ବଡ଼ ଭୂକମ୍ପ ଉତ୍ତରାଖଣ୍ଡରେ ଆସିପାରେ । ଏକ ସର୍ଭେରୁ ଜଣାପଡ଼ିଛି, ବର୍ଷାଦିନେ ଫାଟ ଦେଇ ପାଣି ତଳକୁ ଯିବା ପରେ ଯେଉଁ ଚାପ ସୃଷ୍ଟି ହେଉଛି ତାହା ଭୂକମ୍ପ ଆଶଙ୍କାକୁ ବଢ଼ାଇ ଦେଉଛି ।

ଏକ ପ୍ରୋଜେକ୍ଟ ଜରିଆରେ କାନପୁର ଆଇଆଇଟି ଫ୍ଲାଟ୍ ଲାଇନ୍ ଚିହ୍ନଟ କରିଛି । ଏଠାରେ ଭୂକମ୍ପ ଆସିବାର ଆଶଙ୍କା ଅଧିକ ରହିଛି । ଏହି ସର୍ଭେ ଅର୍ବାନ ଡେଭଲପର ଏବଂ ପ୍ଲାନରଙ୍କ ପାଇଁ ସହାୟକ ହେବ । ଏହି ଡାଟା ଉପଯୋଗ କରି କେଉଁ କେଉଁ ସ୍ଥାନରେ ଭୂକମ୍ପ ଆଶଙ୍କା ରହିଛି ଜାଣି ହେବ । ସେଠାରେ କୌଣସି ପ୍ରୋଜେକ୍ଟ କରିବା ଆଗରୁ ଚିନ୍ତା କରିବାକୁ ସମୟ ମିଳିବ । ଏହାଦ୍ବାରା ଯଦି ଭୂକମ୍ପ ହେବ ତେବେ ଅଧିକ କ୍ଷୟକ୍ଷତିରୁ ରକ୍ଷା ମିଳିପାରିବ ।