IIFL ଲକରରୁ ଲୁଟ୍ ପଛର ମାଷ୍ଟରମାଇଣ୍ଡ ଲାଲା, ସହଯୋଗୀଙ୍କ ସହ କରିଥିଲା ପ୍ଲାନିଂ
1 min readକଟକ: IIFL ଲୁଟ୍ ଘଟଣାରେ କଟକ ଡିସିପି ପ୍ରତୀକ ସିଂଙ୍କ ପ୍ରେସମିଟ୍ । ଲୁଟରେ କିଏ ସମ୍ପୃକ୍ତ, କିଏ ରଚିଥିଲା ଲୁଟ୍ ଷଡ଼ଯନ୍ତ୍ର ? ପ୍ରେସମିଟରେ ସବୁ ତଥ୍ୟ ଦେଇଛନ୍ତି ଡିସିପି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଲାଲା ସାଗର ରାୟ ଲୁଟର ମାଷ୍ଟରମାଇଣ୍ଡ । ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ସହ ସମସ୍ତ କର୍ମଚାରୀଙ୍କ ଘରେ ରେଡ୍ ପରେ ପୋଲିସକୁ ମିଳିଛି ପ୍ରମାଣ । ଲୁଟରେ ଲାଲା ସାଗର ସହ କାମ କରୁଥିବା ମହିଳା ଅଧିକାରୀ ନିଳିମା ଲେଙ୍କା ସାମିଲ୍ । ପୂର୍ବରୁ ସୁନା ବନ୍ଧକ ରଖିଥିବା ବ୍ୟକ୍ତି ଟଙ୍କା ଫେରାଇ ସୁନା ନେବାକୁ ଆସୁଥିବା ବେଳେ ଏମାନେ ଚଞ୍ଚକତା କରୁଥିଲେ ।
ବନ୍ଧକ ସୁନା ନ ଫେରାଇବା ସହ ଟଙ୍କାକୁ ନିଜେ ରଖି ଦେଉଥିଲେ । ଫଳରେ ସୁନା ବନ୍ଧକ ରଖି ଋଣ ନେଇଥିବା ଲୋକଙ୍କ ନାଁରେ ଋଣ ଦେଖାଯାଉଥିଲା । ଫଟୋ ଦେଇ ଅଲଗା ଅଲଗା ମିଛ ଆକାଉଣ୍ଟ ତିଆରି କରୁଥିଲେ । ଲକରରେ ସୁନା ନରଖି ସୁନାର ଫଟୋ ଦେଖାଇ କରୁଥିଲେ କାରବାର । ପୂରା ୪୨୦ କାରବାର ଚାଲିଥିଲା । ଗୋଟିଏ ସୁନା ଉପରେ ଦୁଇ ଦୁଇଟି ବ୍ରାଞ୍ଚରେ କାରବାର କରୁଥିଲା ଲାଲା ।
ଲୁଟରେ ସମ୍ପୃକ୍ତ ଲାଲା ଅମୃତ ସାଗର ରାୟ (ମାଷ୍ଟରମାଇଣ୍ଡ), ଲାଲାର ସାଙ୍ଗ ରଞ୍ଜନ କୁମାର ବେହେରା, ସନ୍ତୋଷ ଭୋଇ, ପ୍ରକାଶ ଭୋଇ, ପ୍ରକାଶ ସାହୁ, ପବିତ୍ର ବେହେରା, ରାଜକିଶୋର ସାହୁଙ୍କୁ (ସମସ୍ତେ କଟକ ଗ୍ରାମାଞ୍ଚଳର) ଗିରଫ କରାଯାଇଛି । ଅନ୍ୟ ଜଣେ ଅନୀଲ ଲେଙ୍କା ଯିଏକି ଲାଲା ସହ ମିଶି କାମ କରୁଥିଲା ତାକୁ ବି ଗିରଫ କରାଯାଇଛି । ଅନୀଲ ବ୍ୟାଙ୍କ୍ ଲୁଟ୍ ଯୋଜନା ନେଇ ଜାଣିଥିଲା ।
ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା- ମିଛ ଆକାଉଣ୍ଟରେ ସୁନା ନଥାଇ ଋଣ ଦେଇଥିବା ଘଟଣାକୁ ଲୁଚାଇବା । ଅଡିଟରୁ ବର୍ତ୍ତିବା ଲାଗି ଏମାନେ ଲୁଟ୍ ଉଦ୍ୟମ କରିଥିଲେ । ସୁନା ଚୋରି ନାଟକ କରି ନକଲି ଆକାଉଣ୍ଟରେ ଜମା ହୋଇଥିବା ସୁନା ଯାହା ପ୍ରକୃତରେ ଜମା ହୋଇନାହିଁ । ଏଡିଟ୍ ବେଳେ ସେଥିରୁ ବର୍ତ୍ତିବା ଲାଗି ରଚାଯାଇଥିଲା ଷଡ଼ଯନ୍ତ୍ର । ଲାଲାର ପୂର୍ବରୁ ଅପରାଧିକ ରେକର୍ଡ ଥିବା ଡିସିପି ସୂଚନା ଦେଇଛନ୍ତି ।
ଏବେ ଯାଏଁ ୩ କେଜି ସୁନା, ଗୋଟିଏ ଅଡି କାର, ନଗଦ ୫ ଲକ୍ଷ ଟଙ୍କା, ବୁଲେଟ୍, ୨ଟି ବାଇକ୍, ଖେଳଣା ବନ୍ଧୁକ ଜବତ କରାଯାଇଛି । କିଛି ନକଲି ସୁନା ଲାଲା ମିଶାଇଥିଲା ମଧ୍ୟ ଜବତ ହୋଇଛି । ନୟାସଡ଼କ IIFLରୁ ସୁନା ଲୁଟ୍ ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ତେବେ, IIFLରେ କେତେ ସୁନା ଥିଲା ତାର ଉଚ୍ଚସ୍ତରୀୟ ଅଡିଟ୍ କରାଯିବ ବୋଲି ଡିସିପି କହିଛନ୍ତି ।