ଇମରାନ୍ ଖାନଙ୍କୁ ଅନ୍ତରୀଣ ଜାମିନ

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଇସଲାମାବାଦ ହାଇକୋର୍ଟ । ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଇମରାନଙ୍କ ବିରୋଧରେ ଜାରି ହୋଇଥିଲା ଗିରଫ ପରଓ୍ବାନା । ଗତ ଅଗଷ୍ଟ 20ରେ ଏକ ରାଲିରେ ଇମରାନ କେତେକ ବରିଷ୍ଠ ପୋଲିସ ଅଧିକାରୀ, ନିର୍ବାଚନ କମିଶନ ଓ କେତେକ ରାଜନେତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ଧମକ ଦେଇଥିଲେ ।

ଦେଶଦ୍ରୋହ ଅଭିଯୋଗରେ ତାଙ୍କ ସହଯୋଗୀ ସାହାବାଜ ଗିଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ସେ ଏହି ବିବୃତି ଦେଇ ଚର୍ଚ୍ଚାରେ ଥିଲେ । ଏପରିକି ଅତିରିକ୍ତ ଦୌରାଜଜ ଜେବା ଚୌଧୁରୀଙ୍କ ବିରୋଧରେ ମଧ୍ୟ ମତ ଦେଇଥିଲେ । ଭାଷଣର କିଛି ସମୟ ପରେ ଏନେଇ ଇମରାନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଗତ ଶନିବାର ଜଣେ ମାଜିଷ୍ଟେଟ ପୋଲିସର ଅନୁରୋଧ କ୍ରମେ ଇମରାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ ।

ତେବେ ଜାମିନ ଲାଗି ଇମରାନଙ୍କ ଓକିଲ ବାବର ଅଓ୍ବାନ ଇସଲାମାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ଜଷ୍ଟିସ ମହସିନ ଅଖତାର କୟାନି ଇମରାନଙ୍କୁ 10 ହଜାର ଟଙ୍କାର ବଣ୍ଡ ବିନିମିୟରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହା ସହ ଆସନ୍ତା 7 ତାରିଖରେ ଏକ ସ୍ଥାନୀୟ କୋର୍ଟରେ ହାଜର ହେବା ଲାଗି ଇମରାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।