ନୱାଜ ସରିଫଙ୍କୁ ପାସପୋର୍ଟ ପ୍ରଦାନ ନିଷ୍ପତ୍ତି ବିରୋଧରେ ହୋଇଥିବା ପିଟିସନ ଖାରଜ

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ କୂଟନୈତିକ ପାସପୋର୍ଟ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତି ପ୍ରସଙ୍ଗ । ନିଷ୍ପତ୍ତି ବିରୋଧରେ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ଇସଲାମାବାଦ ହାଇକୋର୍ଟ । ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ ନେତା ନଓ୍ବାଜ ସରିଫ ଦୀର୍ଘ ଦିନ ଧରି ଲଣ୍ଡନରେ ବାସ କରୁଛନ୍ତି । ତାଙ୍କୁ ପାସପୋର୍ଟ ପ୍ରଦାନ କରିବା ଲାଗି ସାନ ଭାଇ ତଥା ଶାହାବାଜ ସରିଫ ନେତୃତ୍ବାଧୀନ ସରକାର ନିଷ୍ପତ୍ତି ନେଇଥିଲେ ।

ଏହି ନିଷ୍ପତ୍ତି ବିରୋଧରେ ଗତ ଏପ୍ରିଲ ୧୫ ତାରିଖରେ ଓକିଲ ନଇମ ହାଇଦର ପଞ୍ଜୁଥା ଏକ ପିଟିସନ ଦାୟର କରିଥିଲେ । ପିଟିସନରେ ଦର୍ଶାଯାଇଥିଲା ଯେ, ନଓ୍ବାଜ ଜଣେ ଆଇନ ଉଲ୍ଲଂଘନକାରୀ ଓ ପଳାତକ । ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମୟ କାଳରେ ନଓ୍ବାଜଙ୍କ ବିରୋଧରେ ବହୁ ଦୁର୍ନୀତି ମାମଲା ରୁଜୁ ହୋଇଥିଲା । ପାନାମା ପେପର୍ସ ମାମଲାରେ ଗତ ୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିବା ନଓ୍ବାଜ ୨୦୧୯ରୁ ଲଣ୍ଡନରେ ବାସ କରିଆସୁଛନ୍ତି । ଲାହୋର ହାଇକୋର୍ଟଙ୍କ ନିକଟରେ ଅଣ୍ଡରଟେକିଂ ପ୍ରଦାନ କରି ସେ ଦୀର୍ଘ ଦିନ ଧରି ଲଣ୍ଡନ ବାସିନ୍ଦା ସାଜିଛନ୍ତି ।