ବାର୍ଷିକ ୧୦ ଲକ୍ଷ ଆୟ ଥିଲେ କରନ୍ତୁ ନାହିଁ ଟିକସ ଚିନ୍ତା
ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରନ୍ତି । ଆଉ ବାର୍ଷିକ ଦରମ ୧୦ ଲକ୍ଷ ଭିତରେ । ତା’ହେଲେ ଆୟ କରକୁ ନେଇ ଚିନ୍ତା କରନ୍ତୁ ନାହିଁ । ଆପଣ ପୂରା ଟିକସ ବଞ୍ଚାଇ ପାରିବେ । ବାସ୍ ଏଥିପାଇଁ ଆପଣଙ୍କୁ କିଛି ପ୍ଲାନିଂ କରିବାକୁ ପଡ଼ିବ । ନୂଆ ଆର୍ଥିକ ବର୍ଷ ଏପ୍ରିଲ୍ ୧ରୁ ଆରମ୍ଭ ହୋଇ ଯାଇଛି । ଏଥିପାଇଁ ଆପଣଙ୍କ ପାଖରେ କିଛି ନୂଆ ଯୋଜନା ଓ ତାକୁ କାର୍ଯ୍ୟକାରୀ କରିବାକୁ ସମୟ ଅଛି । ଆସନ୍ତୁ ଜାଣିବା ଟିକସ ବଞ୍ଚାଇବା ଲାଗି କଣ କରିବେ ।…
ଇନକମ୍ ଟ୍ୟାକ୍ସ ନିୟମ ଅନୁସାରେ, ସେକ୍ସନ୍ ୮୦ସି ସବୁଠୁ ଲୋକପ୍ରିୟ । ଏହାପରେ ୮୦ ସିସିଡି(ୱାନ୍ ବି), ଗୃହଋଣ ଅଥବା ଶିକ୍ଷାଋଣ ଅବା ସ୍ୱାସ୍ଥ୍ୟବୀମା ଟିକସ ବଞ୍ଚାଇବା ଲାଗି ଆପଣଙ୍କୁ ସାହାଯ୍ୟ କରିପାରେ । ଯଦି ଆପଣଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ମଧ୍ୟରେ ତ ଏସବୁ କଲେ ଟିକସ ଦେବାକୁ ପଡ଼ିବ ନାହିଁ ।
ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ
ଚାକିରିଆ ଓ ପେନସନଧାରୀଙ୍କୁ ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ମିଳିଥାଏ । ଏବେ ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କ ମୋଟ ଆୟ ଉପରେ ୫୦ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ମିଳୁଛି । ଏହାର ଲାଭ ଚାକିରି କରୁଥିବା ସମସ୍ତ କରଦାତାଙ୍କୁ ମିଳିଥାଏ । ଯଦି ଆପଣଙ୍କ ଆୟ ୧୦ ଲକ୍ଷ ତାହାଲେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ପରେ ଆପଣଙ୍କ ରୋଜଗାର ସାଢ଼େ ୯ ଲକ୍ଷ ଟଙ୍କା ହୋଇଯିବ ।
ସେକ୍ସନ୍ ୮୦ସି
ସେହିଭଳି ଇନକମ୍ ଟ୍ୟାକ୍ସର ସେକ୍ସନ୍ ୮୦ସି ଅନୁସାରେ, ଆପଣ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ନିବେଶ କରି ଡିଡକ୍ସନ୍ ଲାଭ ନେଇପାରିବେ । ସେକ୍ସନ୍ ୮୦ସିରେ ଜୀବନ ବୀମା ପ୍ରିମିୟମ୍, ପିପିଏଫ୍, ମ୍ୟୁଚୁଆଲ୍ ଫଣ୍ଡର ଟ୍ୟାକ୍ସ ସେଭିଂ ସ୍କିମ୍, ୨ ଛୁଆଙ୍କ ଟିଉସନ୍ ଫିସ୍, ହୋମ୍ ଲୋନ୍ ପ୍ରନ୍ସିପାଲ୍ ସହିତ ଅନେକ ଜିନିଷ ରହିଛି । ଯଦି ଆପଣ ଏସବୁର ଲାଭ ଉଠାଇବେ ତ ଆପଣଙ୍କ ଆୟକର ହ୍ରାସ ପାଇ ୮ ଲକ୍ଷ ଟଙ୍କା ଯାଏ ଚାଲି ଆସିବ ।
ଗୃହଋଣରେ କର ଛାଡ଼
ଗୃହଋଣ ଉପରେ ଟିକସ ଛାଡ଼ ହୋଇଥାଏ । ଯଦି ଆପଣ ଗୃହଋଣ ସୁଧ ଉପରେ ଗୋଟିଏ ଆର୍ଥିକ ବର୍ଷରେ ୨ ଲକ୍ଷ ଟଙ୍କା ଯାଏ ଡିଡିକ୍ସନ୍ ଦାବି କରନ୍ତି ତ ସାଢ଼େ ୭ ଲକ୍ଷ ଟଙ୍କାରେ ୨ ଲକ୍ଷ ଟଙ୍କା ହ୍ରାସ କରାଗଲେ ଆପଣଙ୍କ ଆୟ ୫.୫ ଲକ୍ଷ ଟଙ୍କା ରହିବ ।