ଚଳିବନି ମାସ ମାସ ଧରି ତଦନ୍ତ, ଦୋଷୀକୁ ବାନ୍ଧିଲେ ଘଣ୍ଟାଏ ଭିତରେ କରିବୁ ଜଏନ: ଓଏଏସ ସଂଘ

ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର, ଘଣ୍ଟାଏ ଭିତରେ ଆମେ କାମରେ ଯୋଗ ଦେବୁ। ଓଏଏସ ସଂଘର ଏହି ଜିଦରେ ଆକ୍ତାମାକ୍ତା ସରକାର। ୩ ଦିନ ପରେ ବି ଆକ୍ରମଣର ମାଷ୍ଟରମାଇଣ୍ଡ ଗିରଫ ହୋଇନଥିବାରୁ ସାରା ରାଜ୍ୟରେ ଠପ୍ ହୋଇଛି ପ୍ରଶାସନିକ ବ୍ୟବସ୍ଥା। ରାଜ୍ୟ ପ୍ରଶାସନରେ ଦେଖାଦେଇଛି ଅଚଳାବସ୍ଥା। ଜିଲ୍ଲା ସ୍ତରରେ ଠପ୍ ହୋଇଛି ସରକାରୀ କାମ। ଦୁଇ ଦିନ ହେଲା ସମୂହ ଛୁଟି ଘୋଷଣା କରି କାମରେ ଯୋଗ ଦେଉନାହାଁନ୍ତି ଓଏଏସ ସଂଘ । ସରକାର କିନ୍ତୁ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଆକ୍ରମଣ ଘଟଣାରେ ମୁଖ୍ୟ କାର୍ପଟଦାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିପାରିନାହାଁନ୍ତି। ସଂଘ କହିଛି, ମାସ ମାସ ଧରି ତଦନ୍ତ କଲେ ଚଳିବ ନାହିଁ । ତରୁନ୍ତ ସରକାର ମାଷ୍ଟରମାଇଣ୍ଡକୁ ଗିରଫ କରନ୍ତୁ। ଆମେ ଘଣ୍ଟାଏ ଭିତରେ କାମରେ ଯୋଗ ଦେବୁ । ଓଏଏସ ଅଫିସରମାନେ ଆଉ କେତେଦିନ ଚୁପ ବସିବେ। ନୈତିକତା ଦୃଷ୍ଟିରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ପୁରୀରେ ବାହୁଡା ଯାତ୍ରାରେ ନିୟୋଜିତ ଅଫିସରମାନେ କାମ କରୁଛନ୍ତି ବୋଲି ଓଏଏସ ସଂଘ ସଭାପତି କହିଛନ୍ତି ।

ଓଏଏସ ଅଫିସରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଠପ ହୋଇଯାଇଛି ରାଜ୍ୟ ପ୍ରଶାସନ। ଜିଲ୍ଲା ସ୍ତରରେ ହେଉନି ସରକାରୀ କାମ । ଧିମେଇ ଗଲାଣି ସବୁ ବିକାଶମୂଳକ କାମ। ଭତ୍ତା, ପେନସନ, ଜମିବାଡି ସଂକ୍ରାନ୍ତ ସମସ୍ୟାକୁ ନେଇ ଦୈନିକ ତହସିଲ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ହତାଶ ହୋଇ ଫେରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ।

ସରକାର ଓ ଅଫିସରଙ୍କ ଜିଦ ଭିତରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ଅଫିସରେ ହୋଇପାରୁନି ଲୋକଙ୍କ କାମ। ଜଣଙ୍କ ଗିରଫଦାରୀ ଏଡାଇବାକୁ ସରକାର ଏବେ ପୂରା ପ୍ରଶାସନକୁ ସ୍ଥାଣୁ କରିଦେଲେଣି ବୋଲି ଅଭିଯୋଗ ହେଲାଣି