ବିଦ୍ରୋହୀ ବିଧାୟକ ଚାହିଁଲେ ମହାବିକାଶ ଅଘାଡି ମେଣ୍ଟରୁ ଅଲଗା ହେବୁ: ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜନୈତିକ ସଙ୍କଟ ମଧ୍ୟରେ ସଞ୍ଜୟ ରାଉତଙ୍କ ବଡ ବୟାନ ଆସିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବିଦ୍ରୋହୀଙ୍କୁ ମନାଇବା ପାଇଁ ଆଉ ଏକ ପ୍ରସ୍ତାବ ଦେଇଛନ୍ତି  । ସେ କହିଛନ୍ତି ଯଦି ବିଦ୍ରୋହୀ ବିଧାୟକ ସାମ୍ନାକୁ ଆସି କୁହନ୍ତି ମହାବିକାଶ ଅଘାଡି ମେଣ୍ଟରୁ ଅଲଗା ହେବା ପାଇଁ, ତେବେ ଏହା ଉପରେ ବିଚାର କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଆସନ୍ତୁ ଏବଂ  ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ  ।

ସୂଚନାଯୋଗ୍ୟ, ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଶିବିରରେ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶିବସେନାର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୨ ବିଧାୟକ ତାଙ୍କ ଶିବିରରେ ଅଛନ୍ତି  । ଗୌହ୍ବାଟିର ଏକ ହୋଟେଲରେ ସେମାନେ ରହିଛନ୍ତି  । କିଛି ସମୟ ପୂର୍ବରୁ ବିଧାୟକମାନେ ଏକ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କରିଥିଲେ ।

ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମନାଇବା ପାଇଁ ଇମୋସନାଲ କାର୍ଡ ଖେଳିଥିଲେ  । ସେ କହିଥିଲେ ପୂର୍ବରୁ ଯେଉଁ ହିନ୍ଦୁତ୍ବର ଶିବସେନା ଥିଲା ଆଜି ବି ତାହା ଅଛି  । ସାମ୍ନାକୁ ଆସି ଆଲୋଚନା କର  । ମୁଖ୍ୟମନ୍ତ୍ରୀ ପଦ ଓ ଅଧ୍ୟକ୍ଷ ପଦ ଛାଡିବା ପାଇଁ ପ୍ରସ୍ତୁତ ଅଛି  । କିନ୍ତୁ ତାଙ୍କର ଏହି ଇମୋସନାଲ କାର୍ଡ କାମ ଦେଇନଥିଲା  । ବିଦ୍ରୋହୀ ବିଧାୟକମାନେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ନେତା ସିନ୍ଦେ ବୋଲି କହିଥିଲେ  । ଏବେ ସମସ୍ତଙ୍କ ନଜର ରହିଛି କଣ ପୁଣିଥରେ ଶିବସେନା ବିଧାୟକମାନେ ଘରବାହୁଡ଼ା ହେବେ ନା ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଢିବେ  । ଧୀରେ ଧୀରେ ଉଦ୍ଧବଙ୍କ ବିଧାୟକଙ୍କ ସଂଖ୍ୟା କମିବାରେ ଲାଗିଛି  ।