ଯଦି ଯାଏ ହେମନ୍ତଙ୍କ ବିଧାୟକ ପଦ , ରହିଛି ଏହି ତିନି ବିକଳ୍ପ…

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ହୋଇପାରେ  । ଅର୍ଥାତ ତାଙ୍କ ବିଧାୟକ ପଦ ରଦ୍ଦ ହେବାନେଇ ଆଶଙ୍କା ବଢୁଛି  । ସେପଟେ ଯଦି ବିଧାୟକ ପଦ ଯାଏ, ତେବେ ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ଯିବାର ସମ୍ଭାବନା ରହିଛି  । କାରଣ  ଅଫିସ ଅଫ ପ୍ରଫିଟ ମାମଲାରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇପାରେ। ଏ ନେଇ ହୋଇଥିବା ଅଭିଯୋଗ ଉପରେ ଆଜି ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ ।

ଏହି ମାମଲାରେ ଯାଞ୍ଚ କରିବା ପରେ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ରିପୋର୍ଟ ପଠାଇଛନ୍ତି ।  ନିର୍ବାଚନ ଆୟୋଗଙ୍କ ସୁପାରିସ ଆଧାରରେ ରାଜ୍ୟପାଳ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହୋଇପାରେ । ତେବେ ଅପରାହ୍ନରେ ରାଞ୍ଚିରେ ପହଞ୍ଚିବା ପରେ ରାଜ୍ୟପାଳ ଏ ନେଇ  ଆନୁଷ୍ଠାନିକ ଘୋଷଣା କରିପାରନ୍ତି  ।

ପୁଣିଥରେ ଶପଥ ନେବେ ସୋରେନ

ସେପଟେ ଯଦି ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ହୁଏ, ତା ସ୍ୱତେ ମଧ୍ୟ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ବଜାୟ ରଖିପାରିବେ  । ହେମନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ସହ ପୁନର୍ବାର ଶପଥ ନେଇ ପାରିବେ  । ମନ୍ତ୍ରୀ ମଣ୍ଡଳର ନବୀକରଣ ନାମରେ ହେମନ୍ତ ମନ୍ତ୍ରୀ ମଣ୍ଡଳରୁ ନିଜେ ଇସ୍ତଫା ଦେବେ  । ପରବର୍ତ୍ତୀ ସମୟରେ ପୁନର୍ବାର ଶପଥ ନେବେ  । ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୬ ମାସ ମଧ୍ୟରେ ହେମନ୍ତ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡ଼ିବ  । ଯଦି ଜାତୀୟ ନିର୍ବାଚନ କମିସନ ହେମନ୍ତ ସୋରେନଙ୍କୁ ନିର୍ବାଚନ ଲଢିବା ନେଇ ଅନୁମତି ଦିଅନ୍ତି  ।

ପତ୍ନୀ କିମ୍ବା ମାଆଙ୍କୁ କରିପାରନ୍ତି ମୁଖ୍ୟମନ୍ତ୍ରୀ

ଯଦି ନିର୍ବାଚନ କମିଶନ ହେମନ୍ତଙ୍କୁ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାନ୍ତି  । ତେବେ ମଧ୍ୟ ତାଙ୍କ ପାଇଁ ରାସ୍ତା ରହିଛି  । ସେହି ରାସ୍ତାଟି ହେଉଛି ହେମନ୍ତ ସୋରେନ ନିଜ ପତ୍ନୀ କିମ୍ବା ମାଆଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିସିକ୍ତ କରିପାରିବେ  । ମେଣ୍ଟ ସରକାରର ସମସ୍ତ ଦଳର ସହମତି ହାସଲ କରିବାକୁ ପଡ଼ିବ  । ଏହାପରେ ହେମନ୍ତ ନିଜ ପତ୍ନୀ କିମ୍ବା ମାଆଙ୍କୁ କିଛି ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ସ୍ଥାନିତ କରିବାକୁ ପଡିବ  । ସେହି ସମୟ ମଧ୍ୟରେ କେସ ଲଢି ବିଜୟ ହାସଲ କରିବାର ମଧ୍ୟ ଆବଶ୍ୟକତା ରହିଛି  । ତେବେ ଯାଇଁ ପରବର୍ତ୍ତୀ ସମୟରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି  ।

ସୁପ୍ରିମକୋର୍ଟ ଯାଇପାରନ୍ତି ସୋରେନ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କହିବା ହେଉଛି, ଯଦି ହେମନ୍ତ ସୋରେନଙ୍କୁ ନିର୍ବାଚନ ଆୟୋଗ ଅଯୋଗ୍ୟ ଘୋଷଣା କରେ  କିମ୍ବା ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଆମେ ସୁପ୍ରିମକୋର୍ଟ ଯିବୁ  । ଏଭଳି ଅନ୍ୟାୟ ନିଷ୍ପତ୍ତିକୁ ଘୋର ବିରୋଧ କରିବୁ  । ସର୍ବୋଚ୍ଚ ନାୟ୍ୟାଳୟରେ ଅଭିଯୋଗ ଜଣାଇବୁ  । ଯଦି ସୁପ୍ରିମକୋର୍ଟ ଏହି ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ପୂର୍ବକ ସୋରେନଙ୍କ ସପକ୍ଷରେ ନିଷ୍ପତ୍ତି ଜଣାନ୍ତି, ତେବେ ସୋରେନ ସଦସ୍ୟତା ବଞ୍ଚାଇ ପାରନ୍ତି ଏବଂ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାନେଇ ଆଶା ରହିଛି  ।

ସେପଟେ ଝାଡଖଣ୍ଡର ଜଣେ ବରିଷ୍ଠ ବିଧାୟକ ସରୟୁ ରାୟଙ୍କ କହିବା ମୁତାବକ, ସେ ବିଶ୍ୱସ୍ତ ସ୍ତରରୁ ସୂଚନା ପାଇଛନ୍ତି ଯେ, ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ହୋଇପାରେ  । କିଛି ବର୍ଷ ପାଇଁ ସେ ନିର୍ବାଚନ ଲଢିବା ନେଇ ପ୍ରତିବନ୍ଧକ ଲାଗିପାରେ  ।