ଯଦି ଯାଏ ହେମନ୍ତଙ୍କ ବିଧାୟକ ପଦ , ରହିଛି ଏହି ତିନି ବିକଳ୍ପ…
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ହୋଇପାରେ । ଅର୍ଥାତ ତାଙ୍କ ବିଧାୟକ ପଦ ରଦ୍ଦ ହେବାନେଇ ଆଶଙ୍କା ବଢୁଛି । ସେପଟେ ଯଦି ବିଧାୟକ ପଦ ଯାଏ, ତେବେ ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ଯିବାର ସମ୍ଭାବନା ରହିଛି । କାରଣ ଅଫିସ ଅଫ ପ୍ରଫିଟ ମାମଲାରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇପାରେ। ଏ ନେଇ ହୋଇଥିବା ଅଭିଯୋଗ ଉପରେ ଆଜି ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ ।
ଏହି ମାମଲାରେ ଯାଞ୍ଚ କରିବା ପରେ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ରିପୋର୍ଟ ପଠାଇଛନ୍ତି । ନିର୍ବାଚନ ଆୟୋଗଙ୍କ ସୁପାରିସ ଆଧାରରେ ରାଜ୍ୟପାଳ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହୋଇପାରେ । ତେବେ ଅପରାହ୍ନରେ ରାଞ୍ଚିରେ ପହଞ୍ଚିବା ପରେ ରାଜ୍ୟପାଳ ଏ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି ।
ପୁଣିଥରେ ଶପଥ ନେବେ ସୋରେନ
ସେପଟେ ଯଦି ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ହୁଏ, ତା ସ୍ୱତେ ମଧ୍ୟ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ବଜାୟ ରଖିପାରିବେ । ହେମନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ସହ ପୁନର୍ବାର ଶପଥ ନେଇ ପାରିବେ । ମନ୍ତ୍ରୀ ମଣ୍ଡଳର ନବୀକରଣ ନାମରେ ହେମନ୍ତ ମନ୍ତ୍ରୀ ମଣ୍ଡଳରୁ ନିଜେ ଇସ୍ତଫା ଦେବେ । ପରବର୍ତ୍ତୀ ସମୟରେ ପୁନର୍ବାର ଶପଥ ନେବେ । ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୬ ମାସ ମଧ୍ୟରେ ହେମନ୍ତ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡ଼ିବ । ଯଦି ଜାତୀୟ ନିର୍ବାଚନ କମିସନ ହେମନ୍ତ ସୋରେନଙ୍କୁ ନିର୍ବାଚନ ଲଢିବା ନେଇ ଅନୁମତି ଦିଅନ୍ତି ।
ପତ୍ନୀ କିମ୍ବା ମାଆଙ୍କୁ କରିପାରନ୍ତି ମୁଖ୍ୟମନ୍ତ୍ରୀ
ଯଦି ନିର୍ବାଚନ କମିଶନ ହେମନ୍ତଙ୍କୁ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାନ୍ତି । ତେବେ ମଧ୍ୟ ତାଙ୍କ ପାଇଁ ରାସ୍ତା ରହିଛି । ସେହି ରାସ୍ତାଟି ହେଉଛି ହେମନ୍ତ ସୋରେନ ନିଜ ପତ୍ନୀ କିମ୍ବା ମାଆଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିସିକ୍ତ କରିପାରିବେ । ମେଣ୍ଟ ସରକାରର ସମସ୍ତ ଦଳର ସହମତି ହାସଲ କରିବାକୁ ପଡ଼ିବ । ଏହାପରେ ହେମନ୍ତ ନିଜ ପତ୍ନୀ କିମ୍ବା ମାଆଙ୍କୁ କିଛି ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ସ୍ଥାନିତ କରିବାକୁ ପଡିବ । ସେହି ସମୟ ମଧ୍ୟରେ କେସ ଲଢି ବିଜୟ ହାସଲ କରିବାର ମଧ୍ୟ ଆବଶ୍ୟକତା ରହିଛି । ତେବେ ଯାଇଁ ପରବର୍ତ୍ତୀ ସମୟରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।
ସୁପ୍ରିମକୋର୍ଟ ଯାଇପାରନ୍ତି ସୋରେନ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କହିବା ହେଉଛି, ଯଦି ହେମନ୍ତ ସୋରେନଙ୍କୁ ନିର୍ବାଚନ ଆୟୋଗ ଅଯୋଗ୍ୟ ଘୋଷଣା କରେ କିମ୍ବା ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଏ, ତେବେ ଆମେ ସୁପ୍ରିମକୋର୍ଟ ଯିବୁ । ଏଭଳି ଅନ୍ୟାୟ ନିଷ୍ପତ୍ତିକୁ ଘୋର ବିରୋଧ କରିବୁ । ସର୍ବୋଚ୍ଚ ନାୟ୍ୟାଳୟରେ ଅଭିଯୋଗ ଜଣାଇବୁ । ଯଦି ସୁପ୍ରିମକୋର୍ଟ ଏହି ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ପୂର୍ବକ ସୋରେନଙ୍କ ସପକ୍ଷରେ ନିଷ୍ପତ୍ତି ଜଣାନ୍ତି, ତେବେ ସୋରେନ ସଦସ୍ୟତା ବଞ୍ଚାଇ ପାରନ୍ତି ଏବଂ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାନେଇ ଆଶା ରହିଛି ।
ସେପଟେ ଝାଡଖଣ୍ଡର ଜଣେ ବରିଷ୍ଠ ବିଧାୟକ ସରୟୁ ରାୟଙ୍କ କହିବା ମୁତାବକ, ସେ ବିଶ୍ୱସ୍ତ ସ୍ତରରୁ ସୂଚନା ପାଇଛନ୍ତି ଯେ, ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ହୋଇପାରେ । କିଛି ବର୍ଷ ପାଇଁ ସେ ନିର୍ବାଚନ ଲଢିବା ନେଇ ପ୍ରତିବନ୍ଧକ ଲାଗିପାରେ ।