ବିଜାପୁରରେ ଉଦ୍ଧାର କାର୍ଯ୍ୟ ବେଳେ ପୁଣି ବିସ୍ଫୋରଣ: ଜଣେ ଯବାନ ଆହତ

ବିଜାପୁର: ସୀମାନ୍ତରେ ପୁଣି ବିସ୍ଫୋରଣ । ବିଜାପୁର ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଯବାନଙ୍କୁ ଉଦ୍ଧାର ବେଳେ ପୁଣି ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି  । ଆହତ ଯବାନଙ୍କୁ ବିଜାପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଟେକେଲଗୁଡା ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ଅପରପକ୍ଷରେ ଗତକାଲିର ଗୁଳିବିନିମୟରେ ୨୨ଜଣ ଯବାନ ସହିଦ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି କାମଲୋଚନ କଶ୍ୟପ । ଘଟଣାସ୍ଥଳରେ ବିକ୍ଷିପ୍ତ ଭାବରେ ପଡିରହିଥିଲା ଯବାନଙ୍କ ରକ୍ତାକ୍ତ ମୃତଦେହ । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉଜଣେ ଯବାନ ନିଖୋଜ ଅଛନ୍ତି । ଅନ୍ୟପଟେ ୩୦ ଜଣ ଗୁରୁତରଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୭ ଜଣ ଯବାନଙ୍କୁ ବାୟୁ ସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଗତକାଲି ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୂଚନା ଅନୁସାରେ  ଡି ଆର୍ ଜି ଏଵଂ ଆଇ ଟି ବି ପି ଯବାନର ଏକ ଟିମ୍  ଅବୁଝମଡର କାକୁର୍ ଅଞ୍ଚଳରେ କମ୍ବିଂ ପାଇଁ ଯାଇଥିଲେ । ସେଠାରେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ  । ଏହାପରେ ଗୁଳିବିନିମୟ ହୋଇଥିଲା  । ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହ ।

Leave a Reply