ମହାପ୍ରଭୁଙ୍କୁ ଅପମାନ: ସମୁଦ୍ର କୂଳରେ ଗଦା ହୋଇଛି ତିନି ଠାକୁରଙ୍କ ଭଗ୍ନ ମୃର୍ତ୍ତି

ଜଳେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ଆଡମ୍ବର ସହ ପୂଜା କଲେ । ଆଉ ପୂଜା ସରିବା ପରେ ସମୁଦ୍ରରେ ମୃର୍ତ୍ତି ଫିଙ୍ଗି ଦେଇଗଲେ । ଏବେ ସମୁଦ୍ର ଜୁଆରରେ ଉକ୍ତ ମୃର୍ତ୍ତି କୂଳକୁ ଆସି ପଡ଼ି ରହିଛି । ଯାହା ଉପରେ ପଶୁପକ୍ଷୀ ଚଢ଼ୁଛନ୍ତି । ନଡା, ମାଟିରେ ତିଆରି ଜଗନ୍ନାଥଙ୍କ ଭଗ୍ନ ପ୍ରତିମୂର୍ତ୍ତି ବିକୃତ ଅବସ୍ଥାରେ ପଡି ରହିଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅଞ୍ଚଳରେ ।

ଅଭିଯୋଗ ଅନୁସାରେ, ବାଲିଆପାଳ ବ୍ଲକ ଅଞ୍ଚଳର ଦୁଇଟି ସ୍ଥାନରେ ଗତ ଫେବୃଆରୀ ମାସରେ ଜଗନ୍ନାଥଙ୍କ ୩୨ ବେଶ କରାଯାଇଥିଲା । ଉତ୍ସବ ୧୦ ଦିନ ଧରି ଆଡମ୍ବର ସହକାରେ ପାଳନ ହେଲା । ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଉତ୍ସବ ପରେ ଡଗରା ସମୁଦ୍ର ବେଳାଭୂମିରେ ଜଗନ୍ନାଥଙ୍କ ୩୨ ବେଶର ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯାଇଥିଲା ।

ହେଲେ ସମୁଦ୍ର ଜଳରେ ମୂର୍ତ୍ତିଗୁଡ଼ିକ ଲୀନ ହେବା ପୂର୍ବରୁ ଜୁଆର ସେହି ମୂର୍ତ୍ତିଗୁଡ଼ିକୁ ପୁଣି ଫେରାଇ ଆଣି ଅତି ଦୟନୀୟ ଅବସ୍ଥାରେ ବେଳାଭୂମିରେ ବିଞ୍ଚି ଦେଇଛି । ମହାପ୍ରଭୁଙ୍କ ମୂର୍ତ୍ତି ଏପରି ପଡ଼ିଥିବା ଯିଏ ବି ଦେଖୁଛନ୍ତି ସେମାନଙ୍କ ହୃଦୟକୁ ଆଘାତ ଲାଗୁଛି । ମହାପ୍ରଭୁଙ୍କୁ ଏପରି ଅପମାନିତ କରିଥିବା ଲୋକଙ୍କୁ ଧରି କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ଉଠିବାରେ ଲାଗିଛି ।