ଶ୍ରୀମନ୍ଦିରରେ ବଡ଼ ଅଘଟଣ: ନୃସିଂହ ମନ୍ଦିରରେ ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର

ପୁରୀ: ପଥର ମୂର୍ତ୍ତି ଖସିଲା ବଡ଼ଦେଉଳୁ । ଶ୍ରୀମନ୍ଦିରରୁ ମୂର୍ତ୍ତି ଖସି ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ଜମ୍ବେଶ୍ବର ମହାପାତ୍ର । ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପ ମୂର୍ତ୍ତି ଖସି ସେବାୟତ ଜମ୍ବେଶ୍ବର ମହାପାତ୍ରଙ୍କ ଗୋଡ଼ ଉପରେ ପଡିଥିଲା । ସେବାୟତ ଜମ୍ବେଶ୍ବର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘରୋଇ ହସ୍ପିଟାଲ ସହ ଯୋଗାଯୋଗ ପାଇଁ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ଆହତ ସେବକଙ୍କର ସବୁ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ । ଜମ୍ବେଶ୍ୱରଙ୍କ ପରିବାରକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଭେଟି ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ଶ୍ରୀମନ୍ଦିରର ବେଢା ମଧ୍ୟରେ ଥିବା ନୃସିଂହ ମନ୍ଦିରରେ ସେବାୟତ ଜଣଙ୍କ ସେବା ଓ ପୂଜା କରିବାକୁ ଯାଇଥିଲେ । ତେବେ ନୃସିଂହଙ୍କ ନିକଟରେ ଥିବା ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ହଠାତ ଖସିପଡ଼ି ସେବାୟତଙ୍କ ଗୋଡରେ ପଡ଼ିଥିଲା । ତେବେ ହିରଣ୍ୟକତ୍ସ୍ୟପଙ୍କ ପଥର ମୂର୍ତ୍ତିର ଓଜନ ପାଖାପାଖି ୩ରୁ ୪କେଜି ହୋଇଥିବା ଜଣାପଡ଼ିଛି । ତେବେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସୂଚନା ମିଳିଛି ।

Leave a Reply