ଇଡକୋ ସଂଶୋଧନ ବିଲ୍ ପାରିତ; ସାମାଜିକ ଭିତ୍ତିଭୂମିକୁ ପ୍ରାଥମିକତା

1 min read

ଭୁବନେଶ୍ୱର: ଚଳିତ ଶୀତ ଅଧିବେଶନରେ ଇଡକୋ ସଂଶୋଧନ ବିଲ୍ ପାରିତ ହୋଇଛି । ରାଜ୍ୟପାଳଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ । ଶିଳ୍ପାଞ୍ଚଳ ଭିତ୍ତିଭୂମି ସମେତ ସାମାଜିକ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସରଳ ଭାଷାରେ କହିଲେ ଇଡକୋ ଏଣିକି ସାମାଜିକ ବିକାଶ ଦିଗରେ ଗୁରୁତ୍ୱ ଦେବ ।

ରାଜ୍ୟରେ ଇଡକୋ ଏଭଳି ଏକ ଏଜେନ୍ସି ଯାହା ବଡବଡ ଉଦ୍ୟୋଗ ଓ ଏମଏସଏମଇ ପାଇଁ ପ୍ଲଟ୍, ଦୋକାନ ଓ ବିଲ୍ଡିଂ ଅନୁମୋଦନ କରିବାର କାର୍ଯ୍ୟ କରେ । ରାଜ୍ୟ ସରକାରଙ୍କ ଅଧିନରେ ଆସୁଥିବା ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗରେ ଯେକୌଣସି ପରିବର୍ତ୍ତନ ହେଲେ, ପ୍ରଥମେ ଇଡକୋର ଅନୁମୋଦନ ଆବଶ୍ୟକ ହୋଇଥାଏ । ଅର୍ଥାତ୍ ଇଡକୋ ରାଜ୍ୟରେ କାର୍ଯ୍ୟରତ ଉଦ୍ୟୋଗ ପାଇଁ ସରକାରଙ୍କ ପକ୍ଷରୁ ଏକ ନୋଡାଲ ଏଜେନ୍ସି ଭାବେ କାମ କରେ । ତେବେ ସରକାର ଉଦ୍ୟୋଗଗୁଡ଼ିକର ସାମାଜିକ ଦାୟିତ୍ୱବୋଧ ବଢାଇବା ଉପରେ ଗୁରୁତ୍ୱ ଦେଇ ଇଡକୋ ଆଇନରେ ସଂଶୋଧନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି ।

ସଂଶୋଧିତ ବିଲରେ ରାସ୍ତା ବିଦ୍ୟୁତକରଣ, ସ୍ୱରେଜ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଭୋଜନାଳୟ,ବାଣିଜ୍ୟ କେନ୍ଦ୍ର,ପର୍ଯ୍ୟଟନ ସ୍ଥଳୀ, କ୍ରୀଡ଼ା କେନ୍ଦ୍ରକୁ ମଧ୍ୟ ସାମିଲ କରାଯାଇଛି । ଅନ୍ୟପକ୍ଷରେ କାରଖାନା ସଂଶୋଧନ ବିଲ୍-୨୦୨୦ ମଧ୍ୟ ବିଧାନସଭାରେ ପାରିତ ହୋଇଛି । ଏହି ଆଇନ ବଳରେ ଏଣିକି ମହିଳାମାନେ ରାତିରେ କାରଖାନାରେ କାମ କରିପାରିବେ  ।

Leave a Reply