ଆଜିଠୁ ବିଶ୍ବକପ୍ ମହାକୁମ୍ଭ, ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍ 

ଅହମ୍ମଦାବାଦ: ଆଜିଠୁ କ୍ରିକେଟ ବିଶ୍ବକପ ମହାସମର । ଭାରତର ୧୦ ସହରରେ ଚାଲିବ କ୍ରିକେଟ ମହାକୁମ୍ଭ  । ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍  । ଦେଢମାସରୁ ଅଧିକ ସମୟ ଧରି ଲାଗିରହିବ ରୋମାଂଚ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ ।

ଅଂଶଗ୍ରହଣ କରୁଥିବା ୧୦ ଦେଶ ମଧ୍ୟରୁ ୫ ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ସବୁ ଦଳ ଫାଇନାଲ ୧୫ ଜଣିଆ ସ୍ବ୍କାଡ୍ ଘୋଷଣା କରିସାରିଛନ୍ତି  । ଆଜି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ । ଉଦଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ୧ ଲକ୍ଷରୁ ଅଧିକ ଦର୍ଶକ ଏହି ମ୍ୟାଚ୍ ଦେଖିପାରିବେ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ହେଇଛି ଆଉ ଏକ ଭେନ୍ୟୁ । କୋଲକାତା, ଧର୍ମଶାଳା, ଲକ୍ଷ୍ନୌ,ମୁମ୍ବାଇ, ପୁଣେ, ଚେନ୍ନାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ଖେଳାଯିବ ବିଶ୍ବକପର ଅନ୍ୟ ସମସ୍ତ ମ୍ୟାଚ ।

ଭାରତ ତାର ପ୍ରଥମ ମ୍ୟାଚ ଖେଳିବ ଅକ୍ଟୋବର ୮ ତାରିଖରେ  । ବିଶ୍ବକପର ଅନ୍ୟ ପ୍ରମୁଖ ଦାବିଦାର ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।  ୧୪ ଅକ୍ଟୋବର ଶନିବାର ଦିନ ଖେଳାଯିବ ସବୁଠାରୁ ରୋମାଂଚକର ମ୍ୟାଚ୍ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ସହ ଲଢ଼ିବ ଭାରତୀୟ କ୍ରିକେଟ ଟିମ  । ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ ହେବ କୋଲକାତାର ଇଡେନ ଗାର୍ଡନ ଷ୍ଟାଡିୟମରେ ।

୧୬ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ ସେମି ଖେଳାଯିବ । ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା । ବିଶ୍ବକପର ପ୍ରମୁଖ ଦାବିଦାର ମଧ୍ୟରେ ସବୁଠାରୁ ଆଗରେ ରହିଛି ଭାରତ । ଚଳିତ ବିଶ୍ବକପରେ ଶୁଭମନ ଗିଲ ଗେମ ଚେଂଜର ହେବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ । ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଭାବେ ସ୍ଥାନ ପାଇବାକୁ ଗିଲଙ୍କ ପାଖରେ ସମସ୍ତ ସାମର୍ଥ୍ୟ ଅଛି ବୋଲି କହିଛନ୍ତି ଯୁବରାଜ । ବିଶ୍ବକପ ଲାଗି ଭାରତ ପୂର୍ବରୁ ସ୍କ୍ବାଡ୍ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନଙ୍କ ନାଁ ଘୋଷଣା କରିଛି । ଆଘାତ ଜନିତ କାରଣରୁ ସୁସ୍ଥ ନହୋଇପାରିବାରୁ ଅକ୍ଷର ଟିମରୁ ବାଦ ପଡିଛନ୍ତି  ।