ଟି-୨୦ ବିଶ୍ୱକପ ସୂଚୀ ଜାରି, ପୁଣି ହେବ ଭାରତ- ପାକିସ୍ତାନ ମହାସମର

1 min read

ଦୁବାଇ: ଅଷ୍ଟ୍ରେଲିଆରେ ୨୦୨୨ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସୂଚୀ ଜାରି କରିଛି ଆଇସିସି । ଶୁକ୍ରବାର ଆଇସିସି ତରଫରୁ ଟି-୨୦ ବିଶ୍ୱକପ ପାଇଁ ସୂଚୀ ଜାରି ହୋଇଛି । ଅକ୍ଟୋବର ୧୬ରୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ । କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟର ସୁପର-୧୨ ରାଉଣ୍ଡ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ ।

୨୦୨୨ ଟି-୨୦ ବିଶ୍ୱକପରେ ଭାରତ ଗ୍ରୁପ୍-୨ରେ ରହିଛି । ଏହି ଗ୍ରୁପରେ ଭାରତ ସହ ପାକିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ ଓ ଦୁଇଟି କ୍ୟାଲିଫାୟର ଦଳ ରହିବେ । ୨୦୨୧ରେ ଦୁବାଇରେ ହୋଇଥିବା ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ଭାରତ ୧୦ ଓ୍ୱିକେଟରେ ପରାଜୟ ଲାଭ କରିଥିଲା ।  ଏଥିସହ ୨୦୨୧ରେ ହୋଇଥିବା ବିଶ୍ୱକପରେ ଭାରତ ସେମିଫାଇନାଲକୁ ମଧ୍ୟ ଯାଇପାରିନଥିଲା । ଏପରି ସ୍ଥିତିରେ ୨୦୨୨ ଟି-୨୦ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ ।

ଟି-୨୦ ବିଶ୍ୱକପରେ ଭାରତର ସୂଚୀ:

ଭାରତ ବନାମ ପାକିସ୍ତାନ, ୨୩ ଅକ୍ଟୋବର (ମେଲବର୍ଣ୍ଣ)

ଭାରତ ବନାମ ଗ୍ରୁପ୍-ଏ ଉପ-ବିଜେତା, ୨୭ ଅକ୍ଟୋବର (ସିଡନୀ)

ଭାରତ ବନାମ ଦକ୍ଷିଣ ଆଫ୍ରିକା, ୩୦ ଅକ୍ଟୋବର (ପର୍ଥ)

ଭାରତ ବନାମ ବାଂଲାଦେଶ, ୨ ନଭେମ୍ବର (ଆଡିଲେଡ)

ଭାରତ ବନାମ ଗ୍ରୁପ-ବି ବିଜେତା, ୬ ନଭେମ୍ବର (ମେଲବର୍ଣ୍ଣ)

Leave a Reply