ବଦଳିଲା କ୍ରିକେଟ୍ ସହ ଜଡ଼ିତ ନିୟମ, ବଲରେ ଛେପ ଲଗାଇ ପାରିବେନି ବୋଲର
1 min readନୂଆଦିଲ୍ଲୀ: କ୍ରିଜରେ ଚଳିବନି ଚାଲବାଜି । ବଲକୁ ଚମକାଇବା ପାଇଁ ଆଉ ଲଗାଇ ପାରିବେନି ଛେପ । ଅନ୍ତର୍ଜାତୀୟ କ୍ରିକେଟ୍ ନିୟମରେ ସଂଶୋଧନ କରିଛି ମେରିଲବୋନ କ୍ରିକେଟ୍ କ୍ଲବ । ପରିବର୍ତ୍ତିତ ନିୟମ ଚଳିତ ବର୍ଷ ଅକ୍ଟୋବର ୧ ପରେ ହିଁ ଲାଗୁ ହେବ । ଅର୍ଥାତ୍ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ବଦଳିଯିବ କ୍ରିକେଟର ଅନେକ ନିୟମ ।
କ୍ରିକେଟ୍ ବଲରେ ଛେପ ଲଗାଇବା ଉପରେ ଏମସିସି ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ କରୋନା ପାଇଁ ଏହି ପ୍ରତିବନ୍ଧକ ଲାଗିଥିବା ବେଳେ, ଏବେ ଏମସିସି ଆଇନ୍ ଆଣୁଛି । ବଲକୁ ଚମକାଇବା ଲାଗି ଖେଳାଳି ଝାଳ ବି ବ୍ୟବହାର କରୁଥିଲେ, ଯାହା ଫାଇଦା ମଧ୍ୟ ଦେଉଥିଲା । ଏବେ ନୂଆ ଆଇନରେ ଏଥିଲାଗି ଅନୁମତି ନାହିଁ । କାରଣ ବଲ୍ ଉପରେ ଲାଳ ଲଗାଇବା ପାଇଁ ଖେଳାଳି ସୁଗର ସାମଗ୍ରୀ ଉପଯୋଗ କରିଥାନ୍ତି । ଏମିତିରେ ବଲରେ ଲାଳର ବ୍ୟବହାର ବଲର ସ୍ଥିତିକୁ ଅନୁଚିତ୍ ଉପାୟରେ ପରିବର୍ତ୍ତନ ଭଳି ।
ଆଉଟ୍ ହେଲେ ବ୍ୟାଟିଂ କରିବେ ନୂଆ ପ୍ଲେୟାର
ଏମସିସିର ନୂଆ ନିୟମ ଅନୁସାରେ, କୌଣସି ବି ଖେଳାଳି ଆଉଟ୍ ହେଲେ କ୍ରିଜକୁ ଆସିବାକୁ ଥିବା ବ୍ୟାଟ୍ସମ୍ୟାନ୍ ବ୍ୟାଟିଂ କରିବେ । ପୂର୍ବରୁ ଆଉଟ୍ ହୋଇଥିବା ଖେଳାଳି ବ୍ୟାଟିଂ କରୁନଥିଲେ ବି କ୍ରିଜକୁ ଆସୁଥିବା ଖେଳାଳି ଷ୍ଟ୍ରାଇକରେ ରହିବେ । କୌଣସି ଖେଳାଳି କ୍ୟାଚ୍ ଆଉଟ୍ ହେଲେ, ବ୍ୟାଟିଂ କରୁଥିବା ଖେଳାଳି ବୋଲିଂ ଷ୍ଟମ୍ପ ଯାଏ ପହଞ୍ଚୁଥିଲେ କ୍ରିଜକୁ ଆସୁଥିବା ଖେଳାଳିଙ୍କୁ ତୁରନ୍ତ ବ୍ୟାଟିଂ ସୁଯୋଗ ମିଳୁନଥିଲା । ଏବେ କୌଣସି ପ୍ରକାରେ ମଧ୍ୟ ଆଉଟ୍ ହେଲେ କ୍ରିଜକୁ ଆସୁଥିବା ନୂଆ ଖେଳାଳି ଷ୍ଟ୍ରାଇକରେ ରହିବେ ।
ଏହାଛଡ଼ା ଆଇସିସି ମାଙ୍କଡିଙ୍ଗ ନିୟମରେ ପରିବର୍ତ୍ତନ ଆଣିଛି । ପୂର୍ବରୁ ଏହା କ୍ରିକେଟ୍ ଆଇନ୍ ୪୧ ଅନୁସାରେ, ଖେଳ ଭାବନାର ପରିପନ୍ଥୀ ବୋଲି କୁହାଯାଉଥିଲା । ଏବେ ଏହି ଆଇନକୁ ରନ୍ ଆଉଟ୍ ପରିସରଭୁକ୍ତ କରାଯିବ । ବୋଲର ବଲ୍ ଫିଙ୍ଗିବା ପୂର୍ବରୁ ରନ୍ ପୋଷ୍ଟରେ ଥିବା ଖେଳାଳି କ୍ରିଜ୍ ଛାଡ଼ିଦେଲେ ବୋଲର ବଲକୁ ନେଇ ୱିକେଟର ଷ୍ଟମ୍ପ ଖସାଇ ଦେବାକୁ ମାଙ୍କଡିଙ୍ଗ କୁହାଯାଏ ।
ବଦଳିଲା ଡେଡ୍ ବଲ୍ ନିୟମ
ଡେଡ୍ ବଲ୍ ନିୟମରେ ବି ପରିବର୍ତ୍ତନ ଅଣାଯାଇଛି । ମ୍ୟାଚ୍ ଚାଲିଥିବା ବେଳେ କୌଣସି ବ୍ୟକ୍ତି, ଜୀବ କିମ୍ବା ସାମଗ୍ରୀ କୌଣସି ପକ୍ଷକୁ ବି କ୍ଷତି ପହଞ୍ଚାଇଲେ ତାହାକୁ ଡେଡ୍ ବଲ୍ ଭାବେ ପରିଗଣିତ କରାଯିବ । କ୍ରିଜକୁ ଅଚାନକ କୌଣସି ଫ୍ୟାନ୍ ପଶି ଆସିବ ଅଥବା କୁକୁର ପଶିବାରୁ ଖେଳ ଉପରେ ପ୍ରଭାବ ପଡ଼ିଲେ ଅମ୍ପିୟାର ତାହାକୁ ଡେଡ୍ ବୋଲ୍ ସଂକେତ ଦେବେ ।
ଏହାଛଡ଼ା ଫିଲ୍ଡିଂ କରୁଥିବା ଟିମର ଖେଳାଳି ଅନୁଚିତ୍ ଭାବେ ଗତି କରିବା ଦେଖାଗଲେ ବ୍ୟାଟିଂ କରୁଥିବା ଟିମକୁ ପେନାଲ୍ଟିରେ ୫ ରନ୍ ମିଳିବ । ପୂର୍ବରୁ ଏହାକୁ ଡେଡ୍ ବଲ୍ କରି ଦିଆଯାଉଥିଲା । ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନ୍ ଭଲ ସଟ୍ ଖେଳିଲେ ମଧ୍ୟ ତାହାକୁ ରନରେ ପରିଗଣିତ କରାଯାଉ ନଥିଲା । ଏବେ ଆଉ ସେମିତି ହେବନାହିଁ ।