ଇନ୍ଦୋର ପିଚକୁ ଖରାପ ରେଟିଂ ଦେଲା ଆଇସିସି, ଅପିଲ ପାଇଁ ବିସିସିଆଇକୁ ୧୪ ଦିନର ସମୟ ସୀମା

1 min read

ନୂଆ ଦିଲ୍ଲୀ : ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଭାରତର ଲଜ୍ଜା ଜନକ ପରାଜୟ ସମସ୍ତଙ୍କୁ ଚକିତ କରିଛି । ମ୍ୟାଚର ତୃତୀୟ ଦିନର ପ୍ରଥମ ସେସନରେ ହିଁ ଅଷ୍ଟ୍ରେଲିଆ ଭାରତକୁ ହରାଇ କ୍ରିକେଟ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା । ଏହି ମ୍ୟାଚରେ ପରାଜୟ ସହ ଭାରତକୁ ମିଳିଥିଲା ଆଉ ଏକ ଝଟକା । ତୃତୀୟ ଟେଷ୍ଟ ଖେଳାଯାଉଥିବା ଇନ୍ଦୋର ପିଚକୁ ଖରାପ ରେଟିଂ ଦେଲା ଆଇସିସି । ଇନ୍ଦୋର ପିଚକୁ ଖରାପ ରେଟିଂ ଦେବା ସହ ସବୁଠୁ ନିମ୍ନମାନର କହିଲା ଅର୍ନ୍ତଜାତୀୟ କ୍ରିକେଟ ପରିଷଦ।

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ତୃତୀୟ ଦିନର ପ୍ରଥମ ସେସନରେ ହିଁ ଭାରତକୁ ପରାଜୟର ଝଟକା ଦେଇଥିଲା । ନିଜ ମାଟିରେ ହିଁ ଭାରତ ୯ ଓ୍ବିକେଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । କେବଳ ଇନ୍ଦୋର ପିଚକୁ ନୁହେଁ ବରଂ ଦିଲ୍ଲୀ ଓ ନାଗପୁର ପିଚକୁ ମଧ୍ୟ ଖରାପ ରେଟିଂ ଦେଇଛି ଆଇସିସି । ଭାରତ ଅଷ୍ଟ୍ରେଲିଆର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ମଧ୍ୟ ତିନି ଦିନ ଭିତରେ ହିଁ ଶେଷ ହୋଇଥିଲା । ଅନ୍ୟପଟେ ମ୍ୟାଚ ରେଫରୀ ମଧ୍ୟ ସେହି ପିଚ୍ ଉପରେ ନିଜର ଟିପଣୀ ଦେଇଛନ୍ତି । ରେଫରୀଙ୍କ ମତରେ ସେଭଳି ପିଚରେ ବ୍ୟାଟିଂ ସହ ବୋଲିଂର ମଧ୍ୟ ତାଳ ମେଳ ରହିନଥିଲା । ଯାହାର ପ୍ରଭାବ ମ୍ୟାଚରେ ପରିଲକ୍ଷିତ ହୋଇଥିଲା । ପିଚ ଅବସ୍ଥା ଅତ୍ୟନ୍ତ ଶୁଖିଲା ଥିବା ଯୋଗୁଁ ସ୍ପିନରଙ୍କୁ ଓ୍ବିକେଟ ସଂଗ୍ରହ କରିବା ସହଜ ହୋଇନଥିଲା । ଏଠାରେ ରେଫରୀ ସ୍ପଷ୍ଟ କରିଛନ୍ତି ଦୁଇ ଦଳର କ୍ୟାପଟେନଙ୍କ ସହ ପିଚ ସଂପର୍କରେ ଆଲୋଚନା ପରେ ହିଁ ସେ ଆଇସିସିକୁ ନିଜର ରିପୋର୍ଟ ଦେଇଥିଲେ।

ଇନ୍ଦୋରର ହୋଲକର ଷ୍ଟାଡିୟମ ପିଚକୁ ୩ଟି ଖରାପ ପଏଣ୍ଟ ମିଳିଛି । ଏଥିରେ ବିସିସିଆଇକୁ ନିଜର ପକ୍ଷ ରଖି ଅପିଲ କରିବା ପାଇଁ ୧୪ ଦିନର ସମୟ ଦିଆଯାଇଛି। ଏଠାରେ କହି ରଖୁଛୁ ଯେ, ଯଦି କୌଣସି ପିଚକୁ ୫ଟି ଖରାପ ପଏଣ୍ଟ ମିଳିଥାଏ ତେବେ ଅର୍ନ୍ତଜାତୀୟ କ୍ରିକେଟ ଆୟୋଜନ କରିବାର ସୁଯୋଗ ୧୨ ମାସ ପର୍ଯ୍ୟନ୍ତ ମିଳିପାରିବ ନାହିଁ। ଏହା ସହିତ ଯଦି ପିଚକୁ  ୧୦ଟି ଖରାପ ପଏଣ୍ଟ ମିଳେ, ଏହା ୨୪ ମାସ ପର୍ଯ୍ୟନ୍ତ ସେହି ନିୟମ ସକ୍ରିୟ ରହିବ। ଅର୍ଥାତ ୨ ବର୍ଷ ଯାଏଁ  ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନରୁ ନିଲମ୍ବିତ ରହିବ ସେହି ନିଦ୍ଧିଷ୍ଟ ପିଚ୍ । ଏହା ସହିତ ପିଚ୍ ଉପରେ ଲାଗିଥିବା ଖରାପ ପଏଣ୍ଟ ୫ ବର୍ଷ ଯାଏଁ ସେହିପରି ବଳବତ୍ତର ରହିବ।