ଆଇସିସି ଘୋଷଣା କଲା ବିଶ୍ବକପ ଦଳ, ଚାମ୍ପିୟନ ଅଧିନାୟକଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ବିଶ୍ବକପ ୨୦୨୩ ଶେଷ ହୋଇଛି । ଭାରତରେ ଅନୁଷ୍ଠିତ ବିଶ୍ବକପକୁ ଜିତି ନେଇଛି ଅଷ୍ଟ୍ରେଲିଆ । ଫାଇନାଲରେ ଘରୋଇ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ସମାଲୋଚନା । ଭାରତର ପରାଜୟର ମୁଖ୍ୟ କାରଣ କ’ଣ? ଏହାକୁ ନେଇ ତର୍କ, ବିତର୍କ ମଧ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଆଇସିସି ପକ୍ଷରୁ ବିଶ୍ବକପ ପ୍ଲେଇଙ୍ଗ ୧୧ ବଛାଯାଇଛି । ସବୁଠାରୁ ବିଡ଼ମ୍ବନା ବିଷୟ ଏହାକି କି, ଚାମ୍ପିୟନ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ । ମାତ୍ର ଭାରତୀୟ ଦଳର ୬ ଜଣ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ପାକିସ୍ତାନ ଏବଂ ଇଂଲଣ୍ଡର ମଧ୍ୟ ଜଣେ ମଧ୍ୟ ଖେଳାଳିଙ୍କୁ ଏହି ଏକାଦଶ ଦଳରେ ସ୍ଥାନ ମିଳିନାହିଁ ।

ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକଭାବେ ଦଳରେ ସ୍ଥାନ ଦେଇଛି ଆଇସିସି । ରୋହିତଙ୍କ ବ୍ୟତିତ ବିରାଟ କୋହଲି, କେ.ଏଲ. ରାହୁଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଜଶପ୍ରିତ ବୁମରାଙ୍କୁ ଦଳରେ ସ୍ଥାନ ମିଳିଛି । ଘାତକ ବୋଲିଂ ପାଇଁ ଜଣାଶୁଣା ଥିବା ପାକିସ୍ତାନ ଟିମର ଜଣେ ମଧ୍ୟ ଖେଳାଳି ଏହି ଦଳରେ ସ୍ଥାନ ପାଇନାହାନ୍ତି । ସେପଟେ ପ୍ଲେଇଙ୍ଗ ୧୧ରେ ରହିଛନ୍ତି କ୍ବିଣ୍ଟନ ଡି କକ୍, ରୋହିତ ଶର୍ମା, ବିରାଟ କୋହଲି, ହାରେଲ ମିଚେଲ, କେ.ଏଲ. ରାହୁଲ, ଗ୍ଲେନ୍ ମ୍ୟାକ୍ସଓ୍ବେଲ, ରବିନ୍ଦ୍ର ଜାଡେଜା, ଜଶପ୍ରିତ ବୁମରା, ଦିଲଶାନ ମଧୁଶଙ୍କା, ଜାମ୍ପା ଏବଂ ମହମ୍ମଦ ସାମି । ସେପଟେ ୧୨ ନମ୍ବର ସ୍ଥାନରେ ରହିଛନ୍ତି ଦୃତ ବୋଲର କୋଏଜି ।

ତେବେ ସମ୍ପୂର୍ଣ୍ଣ ବିଶ୍ବକପରେ ବ୍ୟାଟିଂ ଏବଂ ବୋଲିଂ ଉପରେ ଯଦି ନଜର ପକାଇବା ତାହେଲେ ଭାରତୀୟ ଖେଳାଳିମାନେ ବେଶ ପ୍ରଭାବ ବିସ୍ତାର କରିଥିଲେ । ବିରାଟ କୋହଲି ସର୍ବାଧିକ ୭୬୫ ରନ ସଂଗ୍ରହ କରିଥିବାବେଳେ ସାମି ସର୍ବାଧିକ ୨୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ଫାଇନାଲରେ ସାମି ସେମିତି ଆଖି ଦୃଷିଆ ପ୍ରଦର୍ଶନ କରିନଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଲଢ଼ୁଆ ବୋଲିଂ କରିତ ଦଳକୁ ସଙ୍କଟରୁ ରକ୍ଷା କରିଛନ୍ତି । ମାତ୍ର ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ, ବୋଲିଂ ସାଙ୍ଗକୁ ଫିଲ୍ଡିଂ ଦଳକୁ ବିଜୟର ସ୍ବାଦ ଚଖାଇଛି । ଫାଇନାଲରେ ଭାରତ ରନ ଆଉଟ୍ କ୍ୟାଚ ଏବଂ ଫିଲ୍ଡିଂ ମିସ କରି ମ୍ୟାଚକୁ ମଧ୍ୟ ହାତଛଡ଼ା କରିଥିବା ସମାଲୋଚନା କରାଯାଉଛି ।