ଏଣିକି ଖେଳାଯିବ ୪ ଦିନିଆ ଟେଷ୍ଟ ମ୍ୟାଚ: ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ICC !

1 min read

ସାଧାରଣ ଭାବେ ଟେଷ୍ଟ ମ୍ୟାଚ ୫ ଦିନିଆ ହୋଇଥାଏ । ମାତ୍ର ଏଣିକି ଟେଷ୍ଟ ମ୍ୟାଚ ୪ ଦିନିଆ ହେବ । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି । ୪ ଦିନିଆ ଟେଷ୍ଟ ମ୍ୟାଚ ପାଇଁ ନିଜେ ଆଇସିସି ଅଧ୍ୟକ୍ଷ ଜୟ ଶାହ ସମର୍ଥନ କରିଛନ୍ତି । ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC)ରେ ୪ ଦିନିଆ ଟେଷ୍ଟକୁ ମଞ୍ଜୁରୀ ଦେବା ପାଇଁ ଆଇସିସି ପ୍ରସ୍ତୁତ ହେଉଛି । ଏହାର ଉଦ୍ଦେଶ୍ୟ ହେଉଛି, ଛୋଟ ଛୋଟ ଦେଶଗୁଡ଼ିକ ପାଇଁ ଖେଳକୁ ସୁଲଭ ଓ ଅଧିକ ବ୍ୟବହାରିକ କରିବା । ତେବେ ଭାରତ ସମେତ ୩ଟି ଦେଶକୁ ଏଥିରୁ ଛାଡ଼ ମିଳିବ ।

WTC ୨୦୨୫ରୁ ୨୦୨୭ ଚକ୍ରରେ ୯ଟି ଦେଶ ମଧ୍ୟରେ ମୋଟ ୨୭ଟି ସିରିଜ ଖେଳାଯିବ । ସେଥିମଧ୍ୟରେ ୧୭ଟି ଏପରି ସିରିଜ ରହିବ, ଯେଉଁଥିରେ କି କେବଳ ୨ଟି ହିଁ ଟେଷ୍ଟ ଖେଳାଯିବ । ଅନ୍ୟ ୬ଟି ସିରିଜରେ ୩-୩ ଟେଷ୍ଟ ଖେଳାଯିବ । ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତୀୟ କ୍ରିକେଟ ଟିମ ପରସ୍ପର ବିପକ୍ଷରେ ୫-୫ ମ୍ୟାଚର ଟେଷ୍ଟ ସିରିଜ ଖେଳିବେ ।

ଏକ ରିପୋର୍ଟ ମୁତାବକ, WTC ଫାଇନାଲକୁ ନେଇ ଆଲୋଚନା ସମୟରେ ଆଇସିସି ଅଧ୍ୟକ୍ଷ ଶ୍ରୀ ଶାହ ୨୦୨୭-୨୯ WTC ଚକ୍ରରେ ୪ ଦିନିଆ ଟେଷ୍ଟ ପାଇଁ ନିଜର ସମର୍ଥନ ଜାହିର କରିଛନ୍ତି । ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଆସେସ, ବର୍ଡର-ଗାଭାସ୍କର ଟ୍ରଫି ଓ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ପାଇଁ ୫ ଦିନିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶିଡ୍ୟୁଲ କରିବାକୁ ଅନୁମତି ମିଳିବ ।