ଚାମ୍ପିୟନ୍ସ ଟ୍ରଫି ପାଇଁ ପୁଣି ବିକ୍ରି ହେବ ଟିକେଟ: ICC ଘୋଷଣା କଲା ତାରିଖ
1 min read
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଏହା ମଧ୍ୟରେ ଟିମ୍ ଇଣ୍ଡିଆା ଦୁବାଇରେ ପହଞ୍ଚି ସାରିଛି । ଫେବୃଆରୀ ୨୦ରୁ ବାଂଲାଦେଶ ବିପକ୍ଷରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଆଇସିସି କରିଛି ଏକ ବଡ଼ ଘୋଷଣା । ଆଇସିସିର ଏହି ନିଷ୍ପତ୍ତି ଏବେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆଣି ଦେଇଛି ଏକ ବଡ଼ ସୁଯୋଗ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଭାରତ ଦୁବାଇରେ ଖେଳିବ । ଏଥର ଚାମ୍ପିୟନ୍ସ ଟ୍ରଫିରେ ଦୁଇ ପାରମ୍ପରି ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଥିବାରୁ ଉକ୍ତ ମ୍ୟାଚକୁ ସମସ୍ତେ ପ୍ରତୀକ୍ଷା କରି ରହିଛନ୍ତି । ଆସନ୍ତା ୨୩ରୁ ଏହି ଦୁଇ ଟିମ୍ ମଧ୍ୟରେ ମୁକାବିଲା ହେବ ।
ଟିମ୍ ଇଣ୍ଡିଆର ଗ୍ରୁପ ମ୍ୟାଚଗୁଡ଼ିକର ଟିକେଟ ଆଇସିସି ଫେବୃଆରୀ ୩ରେ ବିକ୍ରି ଆରମ୍ଭ କରିଥିଲା । ମାତ୍ର କିଛି ସମୟ ମଧ୍ୟରେ ସବୁ ଟିକେଟ ବିକ୍ରି ସରିଯାଇଥିଲା । ତେଣୁ ଏବେ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି । ଟିମ୍ ଇଣ୍ଡିଆର ମ୍ୟାଚଗୁଡ଼ିକ ପାଇଁ ଅତିରିକ୍ତ ଟିକେଟ ଉପଲବ୍ଧ କରାଇବା ପାଇଁ ଆଇସିସି ନିଷ୍ପତ୍ତି ନେଇଛି । ଫେବୃଆରୀ ୧୬ ତାରିଖ ଦିନ ଦ୍ବିପ୍ରହର ୧.୩୦ରୁ ଅତିରିକ୍ତ ଟିକେଟ ଉପଲବ୍ଧ ହେବ । ଏହି ଅବସରରେ ଫ୍ୟାନ୍ସ ଟିମ୍ ଇଣ୍ଡିଆର ସମସ୍ତ ଗ୍ରୁପ ଷ୍ଟେଜର ମ୍ୟାଚ ପାଇଁ ଟିକେଟ କିଣି ପାରିବେ । ମାର୍ଚ୍ଚ ୪ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ସେମିଫାଇନାଲ-୧ର ମଧ୍ୟ ଟିକେଟ ଉପଲବ୍ଧ ହେବ । ଟିକେଟକୁ ଅନଲାଇନ ଓ ସିଧାସଳଖ ଟିକେଟ କଲେକ୍ସନ ସେଣ୍ଟରରୁ କ୍ରୟ କରିହେବ, ଯାହାକି ଦୁବାଇରେ ରହିଛି । ’ପ୍ରଥମେ ଆସନ୍ତୁ ପ୍ରଥମେ ନିଅନ୍ତୁ’ ଆଧାରରେ ଟିକେଟ ବିକ୍ରି କରାଯିବ ।