ପୁରୀ, ରାୟଗଡ଼ା, କେନ୍ଦ୍ରାପଡ଼ାରେ ନୂଆ ଜିଲ୍ଲାପାଳ; ବଲୱନ୍ତ ସିଂ ହେଲେ ଓଏମସି ଏମଡି

1 min read

ଭୁବନେଶ୍ୱର: ରାଜ୍ୟ ସରକାର ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ କରିଛନ୍ତି  । ଏହି ଅନୁସାରେ ଓଏମସିରେ ନୂଆ ପରିଚାଳନା ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ସହ ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରଯାଇଛି । ବର୍ତ୍ତମାନ ଓଏମସିର ପରିଚାଳନା ନିର୍ଦ୍ଦେଶକ ଭାବରେ କାମ କରୁଥିବା  ୨୦୦୫ ବ୍ୟାଚ୍ ଆଇଏଏସ ଅଧିକାରୀ ଭିନେଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାସହ ସେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ । ଶ୍ରୀ କ୍ରୀଷ୍ଣାଙ୍କ ସ୍ଥାନରେ ପୁରୀର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୦୭ ବ୍ୟାଚ ଆଇଏଏସ ଅଧିକରୀ ବଲୱନ୍ତ ସିଂଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ଓଏମଇସିଏଲ’ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୧୧ ଆଇଏଏସ ଅଧିକାରୀ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସୀ (ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

ତେବେ ଜଗତସିଂହପୁରରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ  ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଯଦିଓ ଜଗତସିଂହପୁର ଜିଲ୍ଲାପାଳ ପଦବୀ ବାବଦରେ କୌଣସି ସୂଚନା ଦିଆ ଯାଇନାହିଁ ।

ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବରେ  ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଜୀ ରଘୁଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ସିଏମଜିଆଇ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ମହମ୍ମଦ  ସଦ୍ଦିକ୍ ଆଲାମଙ୍କୁ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ସ୍ୱତନ୍ତ୍ର ଏଡ଼ିଏମ ଭାବେ କାର୍ଯ୍ୟ କରୁଥିବା ଆଇଏସ ଅଧିକରୀ ବିଶାଲ ସିଂଙ୍କୁ ଯାଜପୁରର ପିଡି-ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply