ଆଇଏଏସଙ୍କ ସଫଳ କାହାଣୀ: ମାଟ୍ରିକରେ ଥାର୍ଡ ଡିଭିଜନ, UPSC ପରୀକ୍ଷାର ଟପ୍ ୧୦୦ରେ

ପାଟଣା: ଦୃଢ଼ ମନବଳ ଓ ଇଚ୍ଛାଶକ୍ତି ଆଗରେ ସବୁ ସମ୍ଭବ । ଯାହାକୁ ଯଥାର୍ଥ କରି ଦେଖାଇଛନ୍ତି ଆଇଏଏସ ଅଓ୍ବନିସ କୁମାର ଶରଣ । ମାଟ୍ରିକରେ ଥାର୍ଡ ଡିଭିଜନ ପାଇଥିବା ଅଓ୍ବନିସ ଆଜି ହୋଇ ପାରିଛନ୍ତି ଆଇଏଏସ । ଏହା କେବଳ ସମ୍ଭବ ହୋଇଛି ତାଙ୍କ ଦୃଢ଼ ମନବୋଳ ଓ ଆତ୍ମବିଶ୍ବାସ ଯୋଗୁ । ସେତିକି ନୁହେଁ, ପର୍ସେଣ୍ଟେଜ୍ ପଛରେ ଧାଉଁଥିବା ଆଜିର ଯୁବପୀଡ଼ିଙ୍କ ପାଇଁ ସେ ଏକ ଉଦାହାରଣ ସାଜିଛନ୍ତି ।

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଇଏଏସ ଅଓ୍ବନିସଙ୍କ ସଫଳତାର କାହାଣୀ । ମାଟ୍ରିକରେ ଥାର୍ଡ ଡିଭିଜନ ପାଇ ଥିବା ଅଓ୍ବନିସ ୟୁପିଏସସିରେ ହାସଲ କରିଛନ୍ତି ସଫଳତା । ଅଓ୍ବନିସଙ୍କ ଏହି ସଫଳତା ମାର୍କ ପଛରେ ଗୋଡ଼ାଉଥିବା ପିଲାଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜେ ଟ୍ବିଟ କରି ଆଏଏସ୍ ଅଓ୍ବନିସ ଯେତେବେଳେ ତାଙ୍କ ମାଟ୍ରିକ ମାର୍କସିଟ ପୋଷ୍ଟ କଲେ, ତାହା ସାଙ୍ଗେ ସାଙ୍ଗେ ଭାଇରାଲ ହୋଇଯାଇଥିଲା । ମାଟ୍ରିକରେ ମାତ୍ର ୪୪ ପ୍ରତିଶତ ମାର୍କ ରଖିଥିବା ଅଓ୍ବନିସ ୨୦୦୯ ବ୍ୟାଚ୍ ୟୁପିଏସସି ପରୀକ୍ଷାରେ ଟପ୍ ୧୦୦ରେ ରହିଥିଲେ ।

ଯୁକ୍ତ ୨ରେ ଅଓ୍ବନିସଙ୍କର ୬୫ ପ୍ରତିଶତ ଓ ଯୁକ୍ତ ୩ରେ ୬୦ ପ୍ରତିଶତ ମାର୍କ ରହିଥିଲା । ପରୀକ୍ଷାରେ କମ୍ ମାର୍କ ରହୁଥିଲେ ବି ଲକ୍ଷ୍ୟ ସ୍ଥଳରୁ କେବେ ବି ହଟି ନଥିଲେ ଛତିଶଗଡ଼ କ୍ୟାଡରର ଏହି ଆଏଏସ୍ ଅଫିସର ।

ବିହାରର ଅଓ୍ବନିସଙ୍କ ଜନ୍ମ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ । ସ୍କୁଲ ବେଳୁ ସେତେ ଭଲ ଛାତ୍ର ନଥିଲେ । ହେଲେ ଏକ ସାକ୍ଷାତକାର ତାଙ୍କ ଆତ୍ମବିଶ୍ବାସ ବଢ଼ାଇ ଦେଇଥିଲା । ଏହି ସାକ୍ଷାତକାରଟି ଥିଲା ଆଇଏଏସ୍ ଲୋକେଶ କୁମାର ସିଂଙ୍କର । ଯାହା ଅଓ୍ବନିସଙ୍କ ଜୀବନର ଲକ୍ଷ୍ୟକୁ ମଜଭୁତ କରିଥିଲା । ସର୍ବଭାରତୀୟ ଲୋକସେବା ଆୟୋଗ ବା ୟୁପିଏସସି ପରୀକ୍ଷା ପାଇଁ ନିଷ୍ଠାର ସହ ଆରମ୍ଭ କରିଥିଲେ ପ୍ରସ୍ତୁତି । ୨୦୦୯ ୟୁପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏବେ ଛତିଶଗଡ଼ରେ କାର୍ଯ୍ୟରତ ଅଛନ୍ତି ।