ପ୍ରବାସୀ ଶ୍ରମିକଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର୍‌

ଉତ୍ତରପ୍ରଦେଶ: ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି । ଶହ ଶହ କିଲୋମିଟର ସେମାନେ ପାଦରେ ଚାଲି ଚାଲି ଭୋକ ଉପାସରେ ଘରକୁ ଫେରୁଛନ୍ତି । ଏହି ସମୟରେ କିଛି ସଦୃଦୟ ବ୍ୟକ୍ତି ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ମଧ୍ୟ ଏଭଳି ଅନେକ ଖବର ରହିଛି ।

ଅନେକ ପ୍ରବାସୀ ଶ୍ରମିକଙ୍କ ପାଖରେ ଟଙ୍କା ପଇସା ନାହିଁ କିମ୍ବା ଖାଦ୍ୟ ନାହିଁ, ଖାଲି ସେତିକି ନୁହେଁ କିଛି ଶ୍ରମିକଙ୍କ ପାଖରେ ପିନ୍ଧିବାକୁ ଭଲ ପୋଷାକ ନଥିବା ସହ ପାଦକୁ ଚପଲ ମଧ୍ୟ ନଥିବା ଦେଖାଯାଇଛି । ଏପଟେ ପାଦରେ ଚପଲ ନଥିବା ବେଳେ ସେପଟେ ପ୍ରବଳ ଗ୍ରୀଷ୍ମ କାରଣରୁ ପିଚୁ ରାସ୍ତା ନିଆ ପିଣ୍ଡୁଳା ଭଳି ଉତପ୍ତ ରହିଛି ।

ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ୟୁପି ଗୋରଖପୁରରୁ । ଏଠାରେ ଜଣେ ଯୁବତୀଙ୍କ ଚପଲ ଛିଣ୍ଡିଯାଇଥିଲା । ଉତ୍ତପ୍ତ ରାସ୍ତାରେ ଖାଲିପାଦରେ ସେ ଚାଲି ଚାଲି ଯାଉଥିଲେ । ତେବେ ଏହା ଦେଖି ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ନିଜକୁ ସମ୍ଭାଳି ପାରିନଥିଲେ । ନିଜେ ଯାଇ ସେହି ଯୁବତୀଙ୍କୁ ଚପଲ ପିନ୍ଧାଇଥିଲେ ।

ସୂଚନାଯୋଗ୍ୟ, ୟୁପି ଗୋରଖପୁର ସୀମାରେ କିଛି ପ୍ରବାସୀ ଶ୍ରମିକ ଏକାଠି ହୋଇଥିଲେ । ଏହି ଖବର ପାଇ ଆଇଏଏସ୍‌ ଅଫିସର୍‌ ତଥା ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଅନୁଜ ମଲିକ୍‌ ସେଠାରେ ପହଞ୍ଚିଥିଲେ । ସେଠାରେ ଉକ୍ତ ଯୁବତୀଙ୍କୁ ଖାଲି ପାଦରେ ଥିବା ସେ ଦେଖିବାକୁ ପାଇଥିଲେ । ତୁରନ୍ତ ଏକ ଚପଲ ମଗାଇଥିଲେ । ଚପଲ ଆସିବାପରେ ଯୁବତୀଙ୍କୁ ନିଜେ ତାହା ପିନ୍ଧାଇଥିଲେ ।

ଯେଉଁ ଯୁବତୀ (ଶ୍ରେୟା)ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଚପଲ ପିନ୍ଧାଇଥିଲେ, ସେ ବିହାରର ବୋଲି ଜଣାପଡ଼ିଛି । ଗୋଣ୍ଡାରୁ ବିହାର ସେ ଚାଲି ଚାଲି ଯାଉଥିଲେ ।

Leave a Reply