ଚାଷ ଜମିରେ ଧ୍ରୁବ ହେଲିକପ୍ଟରର ଜରୁରୀ ଅବତରଣ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର । ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ଯାଇ ତଦନ୍ତ କରୁଛନ୍ତି । ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ହେଲିକପ୍ଟରରେ ୬ ଜଣ ସେନା କର୍ମଚାରୀ ଥିଲେ । ସମସ୍ତେ ନିରାପଦ ଥିବା ଜଣାପଡ଼ିଛି । ହେଲିକପ୍ଟରରେ ତ୍ରୁଟି ଦେଖାଦେବା ପରେ ଏହା ଅବତରଣ କରିବା ଲାଗି ନିକଟସ୍ଥ ଡୁଙ୍ଗରିଆ ଡ୍ୟାମ ଚାରି ପଟେ ଘୂରିଥିଲା । ପରେ ଏକ ବିଲରେ ଏହା ଅବତରଣ କରିଥିଲା ।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଭୋପାଲରୁ ଚକେରୀ ପର୍ଯ୍ୟନ୍ତ ରୁଟିନ୍ ଟ୍ରେନିଂ ସମୟରେ ଧ୍ରୁବ ହେଲିକପ୍ଟରର ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି । ଭୋପାଲ ଏୟାରପୋର୍ଟଠାରୁ ୫୦ କିମି ଦୂରରେ ହେଲିକପ୍ଟରଟି ଲ୍ୟାଣ୍ଡ କରିଛି । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ବାୟୁସେନାର ଆପାଚି ହେଲିକପ୍ଟର ଜରୁରୀ ଅବତରଣ କରିଥିଲା ।