ସୋନିଆ-ରାହୁଲଙ୍କ ନିର୍ଦ୍ଦେଶରେ ଝିଅର ଚରିତ୍ର ସଂହାର କରୁଛନ୍ତି କଂଗ୍ରେସ ନେତା: ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଝିଅଙ୍କ ନାଁରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସ ପ୍ରବକ୍ତା ପୱନ ଖେଡାଙ୍କ ଅଭିଯୋଗ ଉପରେ ଜବାବ ଦେଇଛନ୍ତି ସ୍ମୃତି । ଶ୍ରୀମତି ଇରାନୀ କହିଛନ୍ତି, ମୋ ଝିଅ କଲେଜରେ ପଢୁଛି ଏବଂ ସେ କୌଣସି ବାର୍ ଚଲାଉନାହିଁ । ପ୍ରେସ୍ କନଫରେନ୍ସ କରି ଇରାନୀ କହିଛନ୍ତି, ୧୮ ବର୍ଷୀୟା ମୋ ଝିଅ ଯିଏ କି ରାଜନୀତିରେ ନାହିଁ, କଲେଜରେ ପଢୁଛି, କଂଗ୍ରେସ ନେତାମାନେ ତାର ଚରିତ୍ର ସଂହାର କରିବାକୁ ଉଦ୍ୟମ କରୁଛନ୍ତି ।

ଏବେ ମୁଁ କୋର୍ଟ ଯିବି ଏବଂ ଜଣ ଜଣଙ୍କଠାରୁ ଜବାବ ମାଗିବି । ସେ ଆଗକୁ କହିଛନ୍ତି ପୱନ ଖେଡା ଏବଂ ଜୟରାମ ରମେଶ ମୋ ଝିଅର ନାଁ ନେଇଛନ୍ତି । ମୋର ପ୍ରଶ୍ନ ଆରଟିଆଇର ଜବାବରେ ମୋ ଝିଅର ନାଁ କେଉଁଠି ଅଛି ଦେଖାନ୍ତୁ । ଏସବୁ ଗାନ୍ଧୀ ପରିବାରର ନିର୍ଦ୍ଦେଶରେ ହେଉଛି । ୫ହଜାର କୋଟି ଟଙ୍କାର ଲୁଟ ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ମୁଁ ପ୍ରଶ୍ନ ଉଠାଇ ଆସିଛି ଏହି କାରଣରୁ ଏସବୁ ତାଙ୍କ ନିର୍ଦ୍ଦେଶକ୍ରମେ ହେଉଛି । ମୁଁ ଚ୍ୟାଲେଞ୍ଜ କରୁଛି ରାହୁଲ ଗାନ୍ଧୀ ଆମେଠିରେ ପୁଣିଥରେ ୨୦୨୪ରେ ଲୋକସଭା ନିର୍ବାଚନ ଲଢନ୍ତୁ ।

ବିଜେପି କାର୍ଯ୍ୟକର୍ତ୍ତା ହିସାବରେ ତାଙ୍କୁ ପୁଣିଥରେ ଧୁଳି ଚଟାଇବାର ସାହସ ରଖିଛି । ସୂଚନାଥାଉକି, କଂଗ୍ରେସର ବରିଷ୍ଠ ନେତା ପୱନ ଖେଡା ପ୍ରେସ କନଫରେନ୍ସ କରି ସ୍ମୃତି ଇରାନୀଙ୍କ ଝିଅଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଇରାନୀଙ୍କ ଝିଅ ମିଛ କାଗଜପତ୍ର ଆଧାରରେ ଗୋଆରେ ରେଷ୍ଟୁରାଣ୍ଟର ଲାଇସେନ୍ସ ନେଇଛନ୍ତି । ସେହିପରି ବରିଷ୍ଠ ନେତା ଜୟକାମ ରମେଶ ଏକ ଆରଟିଆଇ ତଥ୍ୟର ଉଲ୍ଲେଖ କରି ଇରାନୀ ପରିବାର ଉପରେ ଦୁର୍ନୀତିରେ ଲିପ୍ତ ଥିବାର ଅଭିଯୋଗ କରିଥିଲେ  ।