‘ବିଜେପିକୁ ଛାଡିଛୁ ,ହିନ୍ଦୁତ୍ୱ ନୁହେଁ’

1 min read

 ଲକ୍ଷ୍ନୌ: ବିଜେପିର ସାଥ୍ ଛାଡିଛୁ କିନ୍ତୁ ହିନ୍ଦୁତ୍ୱକୁ ଛାଡିନୁ । ଏମିତି କହିଛନ୍ତି ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାରକୁ ୧୦୦ ଦିନ ପୁରିବା ଅବସରରେ ଅଯୋଧ୍ୟା ଗସ୍ତରେ ଆସି ଏଭଳି କହିଛନ୍ତି ଉଦ୍ଧବ ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିଛନ୍ତି ଠାକରେ । ସେ ଅଯୋଧ୍ୟାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ଯେ, ଆମେ ବିଜେପିର ସାଥ୍ ଛାଡିଛୁ କିନ୍ତୁ ହିନ୍ଦୁତ୍ୱକୁ ଛାଡି ନାହୁଁ । ମହାରାଷ୍ଟ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିବେ ବୋଲି ମଧ୍ୟ ସେ କହିଛନ୍ତି । ମହାରାଷ୍ଟ୍ରରୁ ଆସୁଥିବା ଭକ୍ତଙ୍କ ରହଣି ପାଇଁ ଅଯୋଧ୍ୟାରେ ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ଲାଗି ଉଦ୍ଧବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ।

କଂଗ୍ରେସ ସହ ମେଣ୍ଟ କରି ଶିବସେନା ହିନ୍ଦୁତ୍ୱରୁ ହଟୁଛି ବୋଲି ଯେଉଁ ଧାରଣା ସୃଷ୍ଟି ହେଉଛି ତାକୁ ଦୁର କରିବା ପାଇଁ ଉଦ୍ଧବ ଏଭଳି କହିଥିବା ରାଜନୈତିକ ବିଶେଷଜ୍ଞଙ୍କ ମତ । ମହାରାଷ୍ଟ୍ର ରାଜନୀତିରେ  ହିନ୍ଦୁତ୍ୱ ଉପରେ ରାଜ୍ ଠାକରେ ମଧ୍ୟ ନିଜ ଦାବି ରଖିଲେଣି । ରାଜ୍ ନିଜ ଦଳିୟ ପତାକାର ରଙ୍ଗକୁ ବଦଳାଇ ଗେରୁଆ କରିଥିବା ବେଳେ ସିଏଏକୁ ସମର୍ଥନ ଦେଉଛନ୍ତି । ଏଭଳି ପରିସ୍ଥିତିରେ ହିନ୍ଦୁତ୍ୱରେ ବିଶ୍ୱାସ ରଖୁଥିବା ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ଧବ ଏଭଳି ବୟାନ ଦେଇଥିବା ରାଜନୈତିକ ସମୀକ୍ଷକଙ୍କ ମତ ।

Leave a Reply