ଜନମତକୁ ସମ୍ମାନ ଦେଉଛୁ, ୨୦୨୪ରେ ବିଜେଡି ରାଜ୍ୟରେ ସରକାର ଗଢ଼ିବ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଧାମନଗର ଉପନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଲେ- ବିଜୁ ଜନତା ଦଳ ସବୁ ବେଳେ ଜନମତକୁ ସମ୍ମାନ ଦେଇ ଆସିଛି, ଧାମନଗର ଜନମତକୁ ସମ୍ମାନ ଦେଉଛୁ ।

ସେ କହିଛନ୍ତି, ‘ଧାମନଗରରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ । ତାଙ୍କ ପୁଅକୁ ଟିକଟ୍ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ୨୦୨୪ ନିର୍ବାଚନର ବିଜେଡି ଜିତି ସରକାର କରିବ । କାହିଁକିନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ।’

ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା  ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏମିତି କହିଛନ୍ତି । ଏହି ଅବସରରେ ପ୍ରଭୁ ଚାଓ୍ବଲା ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ୨୫ ବର୍ଷ ଶାସନ ରେକର୍ଡ ଭାଗିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆମେ ଲୋକଙ୍କ ସହିତ ଅଛୁ । ଆଗାମୀ ୨୦୨୪ ନିର୍ବାଚନରେ ଜିତିବୁ । ଏଥିସହିତ ଶିକ୍ଷ, ସ୍ବାସ୍ଥ୍ୟ, କ୍ରିଡା ଓ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି । ୨୦୦୦ ମସିହାରେ ସରକାରକୁ ଆସିବା ବେଳେ ୫ ହଜାର କୋଟି ଟଙ୍କା ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ରେ ଏହା ବୃଦ୍ଧି ପାଇ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖୁଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ । ଓଡ଼ିଶାର ବିକାଶ ହିଁ ଆମର ଏକମାତ୍ର ଲକ୍ଷ୍ୟ ।’

୨୦୨୪ରେ ବିଜେଡିର କାହା ସହ ଲଢ଼େଇ ହେବା ନେଇ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କିଛି ବର୍ଷ ହେବ ବିଜେପି ଦ୍ବିତୀୟ ବୃହତ ଦଳ ଭାବେ ଉଭା ହୋଇଛି । ଏଠାରେ କଂଗ୍ରେସର ମଧ୍ୟ ଭଲ ସ୍ଥିତି ରହିଛି ।’