ବସ୍ତାରେ ପ୍ରତିଷ୍ଠା ହେବାକୁ ଯାଉଛି ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍, ନବୀନଙ୍କୁ ମତ୍ସ୍ୟଜୀବୀଙ୍କ ଧନ୍ୟବାଦ

ବାଲେଶ୍ବର: ସମୁଦ୍ର ଅଛି । ମତ୍ସ୍ୟଜୀବୀ ମାଛ ବି ମାରୁଛନ୍ତି । ହେଲେ ଭିତ୍ତିଭୂମିର ଅଭାବ ଯୋଗୁଁ ଉତ୍ପାଦିତ ମାଛର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି ମତ୍ସ୍ୟଜୀବୀ । ଆଉ ରହିବନି ଏହି ସମସ୍ୟା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଦୀର୍ଘଦିନର ସମସ୍ୟାରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । କାରଣ ବାଲେଶ୍ବର ଜିଲ୍ଲା ବସ୍ତାରେ ପ୍ରତିଷ୍ଠା ହେବାକୁ ଯାଉଛି ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍ । ଯେଉଁଥି ପାଇଁ ନବୀନଙ୍କୁ ଧନ୍ଯବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

ସମୁଦ୍ର ମାଛ । ଖାଇବାକୁ ବେଶ ସୁଆଦିଆ । ଓଡ଼ିଶାର ମତ୍ସ୍ୟଜୀବୀ ଟନ୍ ଟନ୍ ମାଛ ମରୁଛନ୍ତି । ହେଲେ ବଜାର ସୁବିଧା ନଥିବାରୁ ଓଡ଼ିଶାର ମତ୍ସ୍ୟଜୀବୀ ପଶ୍ଚିମବଙ୍ଗର ଦୀଘାରେ ବିକ୍ରି କରୁଛନ୍ତି । ସମସ୍ୟାର ସମାଧାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତା ଅଞ୍ଚଳରେ ଏକ ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍ ନିର୍ମାଣ କରିବାକୁ ୨୦୨୨ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପକୁ ଗତ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମତ୍ସ୍ଯଜୀବୀଙ୍କ ବଢିବ ରୋଜଗାର । ଏଥିପାଇଁ ନବୀନଙ୍କୁ ଧନ୍ଯବାଦ ଜଣାଇଛନ୍ତି ଲୋକେ ।

ମତ୍ସ୍ଯଜୀବୀଙ୍କ ସମସ୍ଯାର ସମାଧାନ ପାଇଁ ବସ୍ତା ନିକଟ ବାହାର୍ଦ୍ଦାରେ ହାଇଜେନିକ୍ ହୋଲସେଲ୍ ଫିସ୍ ମାର୍କେଟ୍ ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଥିଲା । ଏବେ ଏହା ୭୮ କୋଟି ୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏଥିପାଇଁ ଓଡ଼ିଶା ସରକାର ୪୮ କୋଟି ୨୫ ଲକ୍ଷ ଟଙ୍କା ସହିତ ଜମି ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ପ୍ରକଳ୍ପ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏଥିରେ ୧୩୨ ଟି ପିଣ୍ଡି, ଲୋଡ଼, ଅନଲୋଡ ପାଇଁ ୩୨ଟି ବେ, ପାର୍କିଂ ସୁବିଧା, ମାଛ ପ୍ରସେସିଂ ପ୍ଲାଣ୍ଟ, ଆଇସ୍ ପ୍ଲାଣ୍ଟ, ସୋଲାର ସିଷ୍ଟମ୍, ଡ୍ରାଇଭର ଓ ବ୍ୟବସାୟୀଙ୍କ ପାଇଁ ବିଶ୍ରାମ ଗୃହ, ରେଷ୍ଟୁରାଣ୍ଟର ସୁବିଧା ରହିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମତ୍ସ୍ୟଜୀବୀ ଅନେକାଂଶରେ ଉପକୃତ ହେବେ ।