ଗେମ୍ ଚେଞ୍ଜର ନୁହେଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ : ଆମେରିକାରେ ଏହି ଔଷଧ ନେଉଛି ଜୀବନ !

1 min read

ନ୍ୟୁୟର୍କ: ସମଗ୍ର ବିଶ୍ୱ କରୋନା ପାଇଁ ଚିନ୍ତାରେ । ଏହାର କୌଣସି ଚିକିତ୍ସା ବାହାରି ପାରିନଥିବାରୁ ସମସ୍ତେ ଚିନ୍ତାରେ । କୋରନା କାରଣୁ  ଆମେରିକା ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି ।  କରୋନା ଭୟାବହତାକୁ ସାମ୍ନା କରିବାକୁ ଯାଇ ଆମେରିକା ଭାରତଠାରୁ ସାହାଯ୍ୟ ଲୋଡିଥିଲା । କେବଳ ସେତିକି ନୁହେଁ ଭାରତ ସାହାଯ୍ୟ ନକଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଶବ୍ଦର ମଧ୍ୟ ବ୍ୟବହାର କରିଥିଲେ । ଏକ ଔଷଧ ତିଆରି ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ଆବଶ୍ୟକ ଥିଲା ଯାହା ଭାରତରୁ ଦିଆଯାଇଛି । ବର୍ତ୍ତମାନ ଆମେରିକର ଏକ ନୂତନ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଗ୍ରହଣ କରୁଥିବା ରୋଗୀମାନେ ସାଧାରଣ ଚିକିତ୍ସା ଅପେକ୍ଷା ଅଧିକ ପ୍ରଭାବିତ ହୋଇ ପ୍ରାଣ ହରାଉଛନ୍ତି ।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଏବଂ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ସାଧାରଣ ପଦ୍ଧତିରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମୃତ୍ୟୁ ହେବାର ସମ୍ଭାବନା କମ୍ । ହାଇଡ୍ରୋକ୍ସିଚ୍ଲୋରୋକ୍ୱିନ୍ ବ୍ୟବହାର ଦ୍ୱାରା ଅଧିକ ରୋଗୀମାନଙ୍କର ମୃତ୍ୟୁ ହେଉଛି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଯୋଗୁଁ ପ୍ରାୟ ୨୮ ପ୍ରତିଶତ କରୋନା ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଯେତେବେଳେ କି, ସାଧାରଣ ପଦ୍ଧତିରେ ଚିକିତ୍ସା କରାଗଲେ କେବଳ ୧୧ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି।

ଏହି ଅଧ୍ୟୟନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ, କରୋନା ରୋଗୀଙ୍କୁ କେବଳ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ କିମ୍ବା ଆଜିଥ୍ରୋମାଇସିନ୍ ସହିତ ମିଶାଇ ଦିଆଯାଉ ସବୁ ପ୍ରକ୍ରିୟାରେ ରୋଗୀର ସୁସ୍ଥ ହେବାର ସମ୍ଭାବନା କମ୍ । ଏବଂ ଏଠାରେ ତାଙ୍କ ଅବସ୍ଥା ଖରାପ ହୋଇ ମୃତ୍ୟୁ ହେବାର ସମ୍ଭାବନା ରହିଛି।

NIH ଏବଂ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଦଳ ୩୬୮କରୋନା ରୋଗୀଙ୍କ ଚିକିତ୍ସା ଉପରେ ଯାଞ୍ଚ କରିଥିଲେ । ଏହି ରୋଗୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଛି ଏବଂ କିଛି ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ତେବେ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ୯୭ଜଣ କରୋନା ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇଥିଲା । ୧୧୩ ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସହିତ ଆଜିଥ୍ରୋମାଇସିନ୍ ଦିଆଯାଇଥିଲା । ଏବଂ ୧୫୮ ରୋଗୀ ଜଣଙ୍କୁ ସାଧାରଣ ଢଙ୍ଗରେ ଚିକିତ୍ସା କରାଯାଇଥିଲା। ସେମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇନଥିଲା ।

ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇଥିବା ୯୭ ରୋଗୀଙ୍କ ମଧ୍ୟରୁ ୨୭.୮% ମୃତ୍ୟୁ ବରଣ କରିଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସହିତ ଆଜିଥ୍ରୋମାଇସିନ୍ ଔଷଧ ଦିଆଯାଇଥିବା ୧୧୩ ରୋଗୀଙ୍କ ମଧ୍ୟରୁ ୨୨.୧% ମୃତ୍ୟୁ ବରଣ କରିଛନ୍ତି । ଏବଂ ୧୫୮ ରୋଗୀଙ୍କ କ୍ଷେତ୍ରରେ ଯେଉଁମାନେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇନଥିଲା, ସେମାନଙ୍କ ମଧ୍ୟରୁ କେବଳ ୧୧.୪% ମୃତ୍ୟୁବରଣ କରିଥିଲେ ।

ଏହି ଅଧ୍ୟୟନ ରିପୋର୍ଟରୁ ଏହା ସ୍ପଷ୍ଟ ମନେହୁଏ ଯେ, ମ୍ୟାଲେରିଆ ପାଇଁ ବ୍ୟବହୃତ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେପରି ଲବି କରିଥିଲେ ସେତିକି ତାହା ଆମେରିକାରେ ସେତିକି ପ୍ରଭାବଶାଳୀ ହୋଇପାରିନାହିଁ ।

କେବଳ ଆମେରିକାରେ ଡାକ୍ତରମାନେ ଏହି ଔଷଧର ବ୍ୟବହାରକୁ ଏଡାଉ ନାହାଁନ୍ତି ବ୍ରାଜିଲରେ ମଧ୍ୟ ଡାକ୍ତରମାନେ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ବ୍ୟବହାର କରିବାକୁ ମନା କରି ଦେଇଛନ୍ତି । କାରଣ ଔଷଧ ଦେବା ମାତ୍ରେ ହୃଦୟ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବଢିଯାଉଛି ।

ଯଦି ରୋଗୀ ପୂର୍ବରୁ ହୃଦ୍ ରୋଗ କିମ୍ବା ଶ୍ୱାସକ୍ରିୟା ରୋଗ ସହ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ଔଷଧ ଘାତକ ପ୍ରମାଣିତ ହେଉଛି । ଯୁକ୍ତରାଷ୍ଟ୍ରରେ, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଏବଂ ଆଜିଥ୍ରୋମାଇସିନ୍ ସମ୍ବନ୍ଧରେ ଡାକ୍ତରଙ୍କ ପାଇଁ NIH ନୂତନ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି । ଯେଉଁଥିରେ ଏହାକୁ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।  ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଯଦି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସାରା ବିଶ୍ୱରେ କରୋନା ଚିକିତ୍ସା କରିବାକୁ ଅନୁମତି ଦିଆଯାଏ, ତେବେ ଏହି ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ପାଇଁ ଏହା ଖୁବ୍ ଲାଭଦାୟକ ହେବ । ଏପରି ଏକ କମ୍ପାନୀରେ ଡୋନାଲ୍ଡ ଟ୍ରମ୍ପଙ୍କର ସେୟାର ରହିଛି । ଆହୁରି ମଧ୍ୟ, ସେହି କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ଡୋନାଲ୍ଡ ଟ୍ରମ୍ପଙ୍କର ଗଭୀର ସମ୍ପର୍କ ମଧ୍ୟ ଅଛି ।

Leave a Reply