spot_img

Latest Posts

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ…ଗୋଦାମରେ ନିଆଁ ଲାଗି ୧୧ ଶ୍ରମିକ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସେଣ୍ଟ୍ରାଲ ଜୋନର ଭୋଇଗୁଡ଼ାଠାରେ ଥିବା ଏକ କବାଡିଆ ଗୋଦାମରେ ନିଆଁ ଲାଗି ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୋଦାମରେ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ବିହାରର ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁ ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।.

ଅଘଟଣରେ ବ୍ୟଥିତ ହୋଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୋକବ୍ୟକ୍ତ କରିବା ସହିତ ପ୍ରତି ମୃତ ଶ୍ରମିକଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି । ସେହିପରି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ଲକ୍ଷଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଜୋନ୍‌ର ଡେପୁଟି ପୋଲିସ୍‌ କମିସନର୍‌ କହିଛନ୍ତି, ଭସ୍ମୀଭୂତ ଗୋଦାମ ଘରୁ ୧୧ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇ ଔପଚାରିକ ପ୍ରକ୍ରିୟା ନିମନ୍ତେ ଗାନ୍ଧୀ ହସ୍ପିଟାଲ୍‌କୁ ପଠାଯାଇଛି। ଯଦିଓ ଉଦ୍ଧାର ‌ହୋଇଥିବା ଶବଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଆଉ ଚିହ୍ନିବା ପରିସ୍ଥିତିରେ ନାହିଁ।

ମୃତ ଶ୍ରମିକମାନେ ଥିଲେ ବିହାରର ବାସିନ୍ଦା। ସିକନ୍ଦରାବାଦ ରେଳ ଷ୍ଟେସନ୍‌ ନିକଟ ଜନବହୁଳ ଆବାସିକ କଲୋନିରେ ଥିବା କବାଡ଼ିଆ ଗୋଦାମରେ କାମ କରିବା ପାଇଁ ସେମାନଙ୍କୁ ନିଯୁକ୍ତି ମିଳିଥିଲା। ନିଆଁ ଲାଗିବା ବ‌େଳେ ଗୋଦାମର ଉପର ମହଲାରେ ପ୍ରାୟ ୧୩ଜଣ ଶ୍ରମିକ ଶୋଇଥିଲେ। କୌଣସି ମତେ ଜଳନ୍ତା ଗୋଦାମରୁ ବାହାରି ଆସିଥିବା ଜଣେ ଗୁରୁତର ଆହତ ଶ୍ରମିକଙ୍କୁ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡ ସ୍ଥଳରେ ୮ଟି ଦମକଳ ପହଞ୍ଚି ସକାଳ ପ୍ରାୟ ୭ଟା ବେଳେ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ। ରାଜ୍ୟମନ୍ତ୍ରୀ ତଲାସନୀ ଶ୍ରୀନିବାସ ଯାଦବ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Latest Posts

Don't Miss