ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା: ଜଣେ ଗିରଫ, ଆଉ ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ହାଇଦ୍ରାବାଦ: ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା । ସାଦୁଦ୍ଦିନ ମଲିକ ନାମକ ଜଣେ ସାବାଳକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଜଣେ ସାବାଳକ ଅଭିଯୁକ୍ତ ଓମାର ଖାଁ ଓ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗତ ୨୮ ତାରିଖରେ ଏକ ନାଲି ରଙ୍ଗର ମର୍ସିଡିଜ ବେଞ୍ଜ କାରରେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା । ଏହି ମର୍ସିଡିଜ କାର୍ ଜଣେ ବିଧାୟକଙ୍କର ହୋଇଥିବା କୁହାଯାଇଛି ।

ତେବେ ପୋଲିସ କହିଛି ଏହି ନାରକୀୟ ଘଟଣାରେ ଅନ୍ୟ ଏକ ଇନୋଭା କାର୍ ବି ବ୍ୟବହୃତ ହୋଇଛି । ମର୍ସିଡିଜ କାର୍ ଏକ ବେକରୀ ସପ୍ ଆଗରେ ଠିଆ ହୋଇଥିବା ବେଳେ, ଅଭିଯୁକ୍ତମାନେ ଏକ ଇନୋଭାରେ ଥିଲେ । ଘଟଣାରେ ଓ୍ବାକଅଫ ବୋର୍ଡର ଜଣେ ସଦସ୍ୟଙ୍କ ପୁଅ ତଥା ରାଜ୍ୟ ଗୃହମନ୍ତ୍ରୀଙ୍କ ନାତି ସାମିଲ ଥିବା ଅଭିଯୋଗ ହୋଇଥିବା ବେଳେ, ପୋଲିସ ଏହାକୁ ଖଣ୍ଡନ କରିଛି । ଡିସିପି ଜୋଲ ଡେଭିସ କହିଛନ୍ତି, ଘଟଣାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ଗୃହମନ୍ତ୍ରୀଙ୍କ ନାତି ସାମିଲ ଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଭିତ୍ତିହୀନ ।

ଗତ ୨୮ ତାରିଖରେ ଏହି ନାବାଳିକାଙ୍କୁ ଘରେ ଛାଡ଼ିଦେବାକୁ କହି ତାଙ୍କୁ ଜଣେ ପୁରୁଷ ବନ୍ଧୁ ଓ ୪ ସାଙ୍ଗ ଏକ କ୍ଲବକୁ ନେଇଥିଲେ । ମାତ୍ର ଜୁବୁଲି ହିଲ୍ସ ନିକଟରେ ପାର୍କିଂ ହୋଇଥିବା କାରରେ ତାଙ୍କୁ ଏହି ବନ୍ଧୁ ଓ ତାଙ୍କର ଅନ୍ୟ ୪ ସାଙ୍ଗ ଗଣଦୁଷ୍କର୍ମ କରିଥିଲେ । ଘଟଣାରେ ଜଣେ ବିଧାୟକଙ୍କ ପୁଅ ସାମିଲ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ କ୍ଲବକୁ ଅଭିଯୁକ୍ତ ନାବାଳକମାନଙ୍କୁ କିପରି ପ୍ରବେଶ ଅନୁମତି ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି ।