ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା , ଅଳିଆଗଦାରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ମହିଳାଙ୍କୁ ହତ୍ୟା । ଅଳିଆଗଦାରୁ ମିଳିଲା ମହିଳାଙ୍କ ମୃତଦେହ । ମୃତକ ମହିଳା ଜଣକ ହେଲେ ହାଇଦ୍ରାବାଦର ୩୬ ବର୍ଷୀୟା ଚୈତନ୍ୟା ମଧାଗାନୀ  । ସେ ତାଙ୍କ ସ୍ବାମୀ ଏବଂ ପୁଅଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିଲେ। ଶନିବାର ତାଙ୍କ ମୃତଦେହ ରାସ୍ତା କଡ଼ରେ ଥିବା ଏକ ଡଷ୍ଟବିନରୁ ମିଳିଛି। ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଘଟଣା ପରେ ପରେ ଚୈତନ୍ୟାଙ୍କ ସ୍ୱାମୀ ହାଇଦ୍ରାବାଦ ଯାଇ ନିଜ ପୁଅକୁ ତାଙ୍କ ମାତାପିତାଙ୍କ ପାଖରେ ଛାଡି ଦେଇଥିଲେ। ଖବର ଅନୁଯାୟୀ, ଅଷ୍ଟ୍ରେଲୀୟ ନାଗରିକ ହେବା ପରେ ଚୈତନ୍ୟା ଏବଂ ତାଙ୍କ ସ୍ବାମୀ ଅଶୋକ ରାଜ ଭାରିକୁପାଲା ନିଜ ପୁଅଙ୍କ ସହ ଅଷ୍ଟ୍ରେଲିଆର ପଏଣ୍ଟ କୁକରେ ରହୁଥିଲେ। ଏବେ ପୋଲିସ୍ ଅଷ୍ଟ୍ରେଲିଆ ସ୍ଥିତ ଘରେ ଘଟଣାର ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ରାଜ ତାଙ୍କ ୫ ବର୍ଷର ପୁଅ ସହିତ ମାର୍ଚ୍ଚ ୫ରେ ଭାରତ ଯାଇଥିଲେ। ସେବେଠାରୁ ହିଁ ସେ ନିଖୋଜ ଅଛନ୍ତି ଏବଂ କୌଣସି ସମ୍ପର୍କୀୟ କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ସମ୍ପର୍କରେ ନାହାନ୍ତି ।