ଆଜି ସୌର ଜଗତରେ ଦେଖାଯିବ ହାଇବ୍ରିଡ୍ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଆଜି ସୌର ଜଗତରେ ଏକ ବିରଳ ଘଟଣା ସଂଘଟିତ ହୋଇଛି । ଯାହାକୁ ମିଶ୍ରିତ ସୂର୍ଯ୍ୟ ପରାଗ ବା ହାଇବ୍ରିଡ୍ ସୂର୍ଯ୍ୟ ପରାଗ କୁହାଯାଏ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ଓ ବଳୟ ସୂର୍ଯ୍ୟ ପରାଗର ମିଶ୍ରଣ ହୋଇଥିବାରୁ ଏହାକୁ ମିଶ୍ରିତ ସୂର୍ଯ୍ୟ ପରାଗ କୁହାଯାଏ । ଏହି ପରାଗ ଆଜି ପୂର୍ବାହ୍ନ ୭ଟା ୪ ମିନିଟରୁ ୧୨ଟା ୨୯ ମିନିଟ ପର୍ଯ୍ୟନ୍ତ ସଂଘଟିତ ହେବ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆର ଉତ୍ତର ପୂର୍ବ ଦେଶ ତଥା ମହାସାଗର ସଂଲଗ୍ନ ଦେଶ ଗୁଡ଼ିକରେ ଦୃଶ୍ୟମାନ ହେବ। ପୃଥିବୀ ଚାରିପଟେ ଚନ୍ଦ୍ର ଅଣ୍ଡାକୃତି ପଥରେ ବୁଲିଥାଏ। ପାଖରେ ଥିବା ବେଳେ ୩ ଲକ୍ଷ ୬୫ ହଜାର କିଲୋମିଟର ଦୂରତାରେ ଏବଂ ଦୂରରେ ଥିବାବେଳେ ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ଥାଏ ।

ଚନ୍ଦ୍ର ପାଖରେ ଥିବା ବେଳେ ସୂର୍ଯ୍ୟକୁ ଘୋଡାଇ ଦେଇଥାଏ ଏବଂ ଦୂରରେ ଥିବା ବେଳେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡାଇବା ସମ୍ଭବପର ହୋଇନଥାଏ। ଏଣୁ କୋଉଠି ଦୃଶ୍ୟମାନ ହୁଏ ଓ କେଉଁଠି ଦୃଶ୍ୟମାନ ହୋଇନଥାଏ ବା ଆଂଶିକ ଦୃଶ୍ୟମାନ ହୋଇଥାଏ। ଚଳିତ ଥର ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ଦୂରତା ୩ ଲକ୍ଷ ୭୮ ହଜାର କିଲୋମିଟର ରହିଛି । ଫଳରେ ଉଭୟ ପୂର୍ଣ୍ଣ ଓ ବଳୟ ସୂର୍ଯ୍ୟ ପରାଗ ହେଉଥିବାରୁ ଏହାକୁ ବିରଳ ତଥା ମିଶ୍ରିତ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି। ଏଭଳି ହାଇବ୍ରିଡ୍ ସୂର୍ଯ୍ୟ ପରାଗ ଶତାବ୍ଦୀରେ ୭ଥର ସଂଘଟିତ ହୋଇଥାଏ।