ସ୍ତ୍ରୀକୁ ୩୩ ଥର ଛୁରୀ ଭୁସି ହତ୍ୟା କରିଥିବା ସ୍ବାମୀକୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ବର: ପତ୍ନୀହନ୍ତା ସ୍ବାମୀଙ୍କୁ ଫାଶୀ ଦଣ୍ଡାଦେଶ । ଘାଟିକିଆରେ ସ୍ତ୍ରୀକୁ ୩୩ ଥର ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ସଞ୍ଜିତ ଦାସ । ୨୦୨୨ ଜୁନ ୯ ତାରିଖରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଞ୍ଜିତ । ସ୍ତ୍ରୀକୁ ୩୩ ଥର ଛୁରୀ ଭୁସିବା ସହ ୬ ବର୍ଷୀୟ ଝିଅର ତଣ୍ଟି କାଟି ଦେଇଥିଲା ରାକ୍ଷସ ବାପା । ଝିଅ ସୁସ୍ଥ ହେବାକୁ ଲାଗିଥିଲା ୩ ମାସ ସମୟ ।

ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦଣ୍ଡବିଧାନ ହୋଇଛି । ଅଭିଯୁକ୍ତର ଝିଅ, ମାଆ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ରାୟ ଶୁଣାଇଛନ୍ତି ଅଦାଲତ ।

ହତ୍ଯାକାଣ୍ଡ ପରେ ପୋଲିସ ଦେଇଥିବା ସୂଚନା ଅନୁସାରେ, ନିଶା ପାଇଁ ନାରକୀୟ କାଣ୍ଡ ଘଟଣାଥିଲା ସଞ୍ଜିତ । ମୃତ ସରସ୍ବତୀ ପେଶାରେ ଜଣେ ନର୍ସ ଥିଲେ । ଏପଟେ ଅଭିଯୁକ୍ତ ସଞ୍ଜିତ ବେରୋଜଗାର ଥିଲା । ଜମି ବିକି ନିଶା ସେବନ କରୁଥିଲା ସଞ୍ଜିତ । କୋଟି କୋଟି ଟଙ୍କା ନିଶା ଖାଇବାରେ ଖର୍ଚ୍ଚ କରୁଥିବାରୁ ପରିବାର ଚଳାଉଥିଲେ ସରସ୍ବତୀ । ନିଶା ସେବନ ଫଳରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମଦ ପିଇ ସ୍ତ୍ରୀଙ୍କୁ ମାରଧର କରୁଥିଲା ସଞ୍ଜିତ ।

ଘଟଣା ଦିନ ରାତି ସାଢ଼େ ଦୁଇଟା ରାତିରେ ପତିପତ୍ନୀଙ୍କ ମଧ୍ଯରେ ଝଗଡା ହୋଇଥିଲା । ରାଗରେ ସ୍ତ୍ରୀକୁ ରାତି ସାଢ଼େ ୩ଟାରେ ୩୩ ଥର ଛୁରୀ ଭୁସି ହତ୍ୟା କରିଥିଲା ସଞ୍ଜିତ । ସକାଳ ୭ଟାରେ ବଡ଼ ଝିଅ ଉଠି ମାଆକୁ ଖୋଜିବା ପରେ ତାକୁ ବି ଆକ୍ରମଣ କରିଥିଲା ସଇତାନ । ସକାଳେ ଝିଅକୁ ଆକ୍ରମଣ କରି ରୁମରେ ବନ୍ଦ କରି ପଳାଇଥିଲା ସଞ୍ଜିତ । ହତ୍ୟା କରିବା ପରେ ମଦ ଦୋକାନରୁ ମଦ କିଣି ପିଇଥିଲା । ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ରକ୍ତ ଲଗା ଛୁରୀ ଓ ଗାମୁଛା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।