ପରିବାର ସଜାଡିବାକୁ ଆସିଥିଲେ, ସଂସାର ଉଜାଡି ଦେଲେ ସ୍ବାମୀ

ବେଙ୍ଗାଲୁରୁ: ଫ୍ୟାମିଲି କୋର୍ଟରେ ନାରକୀୟ କାଣ୍ଡ । ସ୍ତ୍ରୀର ତଣ୍ଟିକୁ ଧାରୁଆ ଛୁରୀରେ କାଟିଦେଲା ସ୍ବାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । କର୍ଣ୍ଣାଟକରେ ଘଟିଛି ଏପରି ଲୋମହର୍ଷକ ଘଟଣା ।

ଛାଡ଼ପତ୍ର ଲାଗି ଆବେଦନ କରିବା ପରେ ସ୍ବାମୀ ଶିବକୁମାର ଓ ସ୍ତ୍ରୀ ଚୈତ୍ରାଙ୍କୁ କାଉନସେଲିଂ ଲାଗି ହୋଲ ନାରାସିପୁରା ପାରିବାରିକ କୋର୍ଟକୁ ଡକାଯାଇଥିଲା । କାଉନସେଲିଂ ସରିବା ପରେ ଦୁହେଁ ଏକତ୍ର ରହିବା ଲାଗି ସହମତି ପ୍ରକାଶ କରିଥିଲେ । ତେବେ ଚୈତ୍ରା ଶୌଚାଳୟ ଯାଇଥିବାବେଳେ ସେଠାକୁ ଶିବକୁମାର ପ୍ରବେଶ କରି ସ୍ତ୍ରୀଙ୍କ ଗଳା ଏକ ଧାରୁଆ ଛୁରୀରେ କାଟିଦେଇଥିଲା ।

ଏହି କାଣ୍ଡ ଘଟାଇ ସ୍ବାମୀ ଦୌଡି ପଳାଇ ଯାଉଥିବାବେଳେ ତାଙ୍କୁ ଲୋକେ କାବୁ କରି ନେଇଥିଲେ । ଗୁରୁତର ଅବସ୍ଥାରେ ଚୈତ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ୭ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା । ହତ୍ୟା ଅଭିଯୋଗ କ୍ରମେ ଶିବକୁମାରକୁ ଗିରଫ କରାଯାଇଛି । କୋର୍ଟ ରୁମ ଭିତରକୁ ଶିବ କୁମାର କିପରି ଛୁରୀ ନେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି । ପୋଲିସ ରକ୍ତଭିଜା ଛୁରୀ ଜବତ କରିଛି ।