ବୁଥ୍ ଆଗରେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ଭଦ୍ରକ: ବୁଥ ସାମ୍ନାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ପାରିବାରିକ କଳହକୁ ନେଇ ହତ୍ୟା କରାଯାଇଥିବା ସୂଚନା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁ ୪ ନମ୍ବର ବୁଥ ସାମ୍ନାରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ରଶ୍ମିରେଖା ବେହେରା । ଅଭିଯୁକ୍ତ ସ୍ବାମୀ ପ୍ରଭାକରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । କହି ରଖୁଛୁ କି, ରଶ୍ମିରେଖା ଏବଂ ପ୍ରଭାକରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ରଶ୍ମିରେଖା ରାଗରେ ବାପଘରକୁ ଯାଇଥିଲେ ।

ରବିବାର ଭୋଟ ଦେବାକୁ ଦାଦାଙ୍କ ସହ ରଶ୍ମିରେଖା ଯାଇଥିବାବେଳେ ପ୍ରଭାକର ସେଠାରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । କେହି କିଛି ଭାବିବା ପୂର୍ବରୁ ସ୍ତ୍ରୀକୁ ହାଣି ଦେଇଥିଲେ ପ୍ରଭାକର । ବୁଥ ସାମ୍ନାରେ ଧାଡ଼ିରେ ରହିଥିବାବେଳେ ପ୍ରଭାକର ତାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପରେ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଛି ।